ଆଉ ଗୀତ ଗାଇବା ପରେ ସିକନ୍ଦର ଯେତେବେଳେ ଖାଇବାକୁ ଯାଆନ୍ତି, ଏ ଭୁରୀ ଭୋଜନ ଦେଖି ବିରକ୍ତ ହୁଅନ୍ତି। ଆୟୋଜକଙ୍କୁ କୁହନ୍ତି, ‘ତମର ଧାରଣା ନାହିଁ, ମୁଁ ଜଗନ୍ନାଥଙ୍କ ଭଜନ ଗାଇବାକୁ ଗଲେ ମନ୍ଦିରରେ ପ୍ରସାଦ, ଯଦି ପ୍ରସାଦ ନ ହୋଇଥାଏ, ତେବେ ଅରୁଆ ଅନ୍ନ, ଡାଲମା ଖାଇ ଶାନ୍ତିରେ ଫେରେ। ଏ ହେଉଛି ମୋର ସଂସ୍କୃତି। ଏ ମୋର ଭକ୍ତି ଓ ବିଶ୍ୱାସ। ’
ଏମିତି ଥିଲେ ଆଧୁନିକ ସାଲବେଗ ଆମ ସିକନ୍ଦର ଆଲାମ । ଆଜି ହେଉଛି ଓଡ଼ିଶାର ଏହି ବରେଣ୍ୟ ସଙ୍ଗୀତଜ୍ଞଙ୍କ ଜନ୍ମଦିନ । ୧୯୩୯ ଜୁଲାଇ ୨୭ରେ କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ସେ ଜନ୍ମଗ୍ରହଣ କରିଥିଲେ ।
ଜଗନ୍ନାଥଙ୍କ ଭଜନ ଗାଇ ଓଡ଼ିଶାରେ ନାଁ କମାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାର ବିଜେତା ଶ୍ରୀ ଆଲାମ ପରବର୍ତ୍ତୀ ସମୟରେ ରାଜ୍ୟ ସାହିତ୍ୟ ଏକାଡେମୀର ସଭାପତି ଆସନ ମଧ୍ୟ ଅଳଙ୍କୃତ କରିଥିଲେ ।
କଟକ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲରୁ ନିଜର ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ଷ୍ଟୁଆର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ୍ ସମାପନ କରି ନିଜ ପିତାଙ୍କ ପ୍ରେରଣାରେ ସେ ନୂଆଦିଲ୍ଲୀ ସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗ ଦିଅନ୍ତି । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧୀନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତୀତ୍ୱର ସହ ସଂଗୀତ ବିଶାରଦ ହେବାର ଗୌରବ ହାସଲ କରିଥିଲେ ।
ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇଲେ। ଭଜନ, ଜଣାଣ ଆଉ ଗଜଲ ଗାଇବାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୨୨ ମାର୍ଚ୍ଚ, ୧୯୬୨ ମସିହା ଲକ୍ଷ୍ମୀ ସିନେମାରେ ତାଙ୍କ କଣ୍ଠ ଶୁଣେ ଓଡିଶା । ତରୁଣ ସିକନ୍ଦର ଗାଇଥିଲେ କାଳଜୟୀ ସଙ୍ଗୀତ ।
“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ଭାବର ଗୀତ । ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଙ୍କୁ ସେତେବେଳେ ଅଭିମନ୍ତ୍ରିତ କରିଥିଲା ।
ଜଗନ୍ନାଥଙ୍କ ଭଜନକୁ ଅତି ଭାବପୂର୍ଣ୍ଣ କଣ୍ଠରେ ଗାଈ ପାରୁଥିବା ଗାୟକ ଥିଲେ ସିକନ୍ଦର । ଯେଉଁଥିପାଇଁ ୧୯୯୫ରେ ସାଲବେଗ ସ୍ମୃତି ସଂସଦ ପକ୍ଷରୁ ତାଙ୍କୁ ଆଧୁନିକ ସାଲବେଗ ଉପାଧି ମିଳିଥିଲା ।
"ବୃନ୍ଦାବନେ ବଂଶୀ କେ ବଜାଇଲା….", "ଗୋ ରାଧେ ବଂଶୀଟି ଆମର ଦିଅ….", "କି ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ..... ", "କେଡେ ସୁନ୍ଦର ଦିଶେ କାଳିଆ ହାତୀ..... ", "ନୀଳାଚଳେ ବସି କରୁଅଛ ଲୀଳା.... ", "ତୋ ଚକାଡୋଳାକୁ ଚାହିଁ ରହିଥିବି.... ",
ଇତ୍ୟାଦି ଥିଲା ତାଙ୍କ ଜୀବନର କାଳଜୟୀ ସଙ୍ଗୀତ । ସେ ସାଲବେଗ ପରମ୍ପରାର ସୁଯୋଗ୍ୟ ଉତ୍ତରପିଢି । ଜଗନ୍ନାଥ ମହାପ୍ରଭୁଙ୍କୁ ପରମ ଶ୍ରଦ୍ଧା କରୁଥିବା ଜଣେ ମୁସଲମାନ । ତାଙ୍କ ପାଇଁ ଶ୍ରୀଜଗନ୍ନାଥ ହିଁ ଆଲ୍ଲାଙ୍କ ସ୍ଵରୂପ - ହୃଦୟରୁ ସେ ଥିଲେ ଜଣେ ଏକୀଭୂତ ରସଗ୍ରାହୀ ବ୍ୟକ୍ତିତ୍ୱ ।