
ଅନୁଗୁଳ: ଶୋଇଥିବା ବେଳେ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳା ଡାକ୍ତରଖାନାରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗାଁରେ ।
ଆଜି ଭୋର ବ୍ରାହ୍ମଣବିଲ୍ ଗାଁର ମାରକଣ୍ତ ସାହୁଙ୍କ ସ୍ତ୍ରୀ ସୁମନ୍ତୀ ସାହୁ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ପକାଇଥିଲା । ତାପରେ ସୁମନ୍ତୀ ଅଚେତ ହୋଇପଡ଼ିଥିଲେ । ସେତେବେଳେ ସୁମନ୍ତୀଙ୍କ ସ୍ୱାମୀ ମାରକଣ୍ଡ ଶୌଚ ପାଇଁ ବାହାରକୁ ଯାଇଥିଲେ ।
ମାରକଣ୍ଡ ଫେରିବା ପରେ ଦେଖିଥିଲେ ଯେ ସ୍ତ୍ରୀ ସୁମନ୍ତୀ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛନ୍ତି । ସଙ୍ଗେସଙ୍ଗେ ପଡ଼ୋଶୀଙ୍କ ସହାୟତାରେ ସୁମନ୍ତୀଙ୍କୁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଆକ୍ରମଣ ପଛରେ ପାରିବାରିକ କଳହ ଥିବା ନେଇ ସୂଚନା ମିଳିଛି ।
