ଆନ୍ଧ୍ରର ତୁହାକୁ ତୁହା ଅନୁପ୍ରବେଶ । ଗଜପତିରେ ଗୁଣ୍ଡାଗିରି, ତଥାପି ଏଫଆଇଆର କଲେ ନାହିଁ ଜିଲ୍ଲାପାଳ କିମ୍ବା ଏସପି । ଆଉ ଆଜି ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିଲେ ବି ସୀମା ପ୍ରସଙ୍ଗରେ ପଦୁଟିଏ କହିଲେନି । ଏଥିରୁ ଆପଣ ଯାହା ବୁଝିବା କଥା ବୁଝନ୍ତିୁ।
ଗଜପତି ସୀମାନ୍ତ ଗ୍ରାମ ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀ ଦେଖାଇଥିବା ଦାଦାଗିରି ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଅନୁରୋଧ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । କିନ୍ତୁ ରାଜ୍ୟର ମୁଖିଆ ହିସାବରେ ମାଣିକପାଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଦୁର୍ଭାଗ୍ୟଜନ ବୋଲି ସମସ୍ତେ କହୁଛନ୍ତି।
ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ପ୍ରଶାସନ ଚୁପ୍ କ’ଣ ପାଇଁ ? ସେପଟେ ଏବେ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ନା ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ ନା ହେଲା ଆକ୍ସନ। ଗୋଟିଏ ପଟେ ଦାଦାଗିରି ଦେଖାଇ ଆନ୍ଧ୍ର ଅନୁପ୍ରବେଶ କରୁଥିବା ବେଳେ ଏକ ପ୍ରକାର ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିରବତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗଜପତିର ଓଡ଼ିଶା ସହ ଭାବାବେଗର ସମ୍ପର୍କ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ହୃଦୟ ଉପରେ ଛିଡା ହୋଇଛି ଓଡ଼ିଶା ସୀମା। ହେଲେ ଏହାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭିତରକୁ ଆନ୍ଧ୍ରର ଅନାଧିକାର ପ୍ରବେଶ ପ୍ରଶାନିକ ଅଧିକାରୀଙ୍କୁ ଧମକ। ହେଲେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗଜପତି ଜିଲ୍ଲାପାଳ ଓ ଏସପି ମୁହଁରେ ତୁଣ୍ଡି । ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ମୌନ୍ ବ୍ରତ ସମସ୍ତଙ୍କୁ ବ୍ୟଥିତ କରିଛି।
ସୂଚନାଯୋଗ୍ୟ, କୋରାପୁଟର କୋଟିଆର କିଛି ଗାଁରେ ଆନ୍ଧ୍ର, ପଂଚାୟତ ନିର୍ବାଚନ କରି କିପରି ଏହି ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚକ୍ରାନ୍ତ କରୁଛି। ଅନ୍ୟପଟେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଂଚାୟତର ଅନେକ ଗ୍ରାମବାସୀଙ୍କ ନାଁ ଆନ୍ଧ୍ର ପ୍ରଦେଶର ଭୋଟର ତାଲିକାରେ ଅନ୍ତଭୁକ୍ତ ହେଲାଣି ।
ଏବେ ପ୍ରଶ୍ନ ଉଠୁଛି, ଆଉ କଣ ହେଲେ ଚେତିବେ ରାଜ୍ୟ ସରକାର ? ଏବେଯାଏଁ ସରକାରଙ୍କ ପକ୍ଷରୁ କାହିଁକି ହୋଇନି ପଦକ୍ଷେପ ? ରାଜ୍ୟ ସରକାରଙ୍କ ନିକଟରେ ଜବାବ ଅଛି କି ?
ଏ ପ୍ରଶ୍ନ ପଚାରିବାର ମଧ୍ୟ ପ୍ରମୁଖ କାରଣଟିଏ ରହିଛି। କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ପରିଦର୍ଶନ କରିଥିଲେ । କିନ୍ତୁ ଏହାର ଆରପଟେ ଥିବା ମାଣିକପାଟଣା ଗାଁକୁ ଗଲେ ନାହିଁ । ଏପଟେ ମୁଖ୍ୟମନ୍ତ୍ରୀ ଆଜି ଯାଏଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନାହିଁ ।
ଏବେ ପ୍ରତି ଓଡ଼ିଆର ମନରେ ଦ୍ବନ୍ଧ୍ବ ଏ ସବୁ ଅଞ୍ଚଳର ଆନ୍ଧ୍ର ହାତକୁ ଚାଲିଯିବନି ତ ?