ଯାଜପୁର: ଥମୁନି ଯୌତୁକ ନିର୍ଯାତନା ! ନିର୍ଯାତନା ଦେବା ପରେ ଜୀବନରୁ ମାରିଦେବାକୁ ବି ପଛାଉ ନାହାନ୍ତି ଏ ମଣିଷ ରୂପି ରାକ୍ଷସ । ପୁଣି ଜଣେ ଯୌତୁକ ପାଇଁ ରାକ୍ଷସଙ୍କ ଶିକାର ପାଲଟିଥିବା ଖବର ସାମ୍ନାକୁ ଆସିଛି ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ରତଳାଙ୍ଗ ଗ୍ରାମରୁ ଆସିଛି ବଧୁହତ୍ୟା ଅଭିଯୋଗ । ଏହି ଘଟଣାରେ ପୋଲିସ ସ୍ୱାମୀ ସହିତ ତାର ଭାଉଜକୁ ଗିରଫ କରିଛି । ରତଳାଙ୍ଗ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା ସାମଲ 3 ଦିନ ହେଲା ନିଖୋଜ ଥିବା ବେଳେ ଆଜି ଗାଁ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସଦର ଥାନା ଅନ୍ତର୍ଗତ ସିମିଳିଆ ଗାଁର ଚୈତନ୍ୟ ବରାଳଙ୍କ ଝିଅ 3ବର୍ଷ ତଳେ ଲକ୍ଷ୍ମୀଧରଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲେ ମଧ୍ୟ ବିବାହ ପରେ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ବାପଘର ଲୋକେ ।
ଗତ 10ତାରିଖ ଦିନ ମଧ୍ୟ କବିତା ଶାଶୁଘର ନିର୍ଯାତନା ଦେଉଥିବା ବାପଘର ଲୋକଙ୍କୁ ଫୋନ କରି କହିଥିଲେ । ପରଦିନ ବାପଘର ଲୋକ ଶାଶୁଘର ପହଞ୍ଚିବା ପରେ କବିତା ନିଖୋଜ ଥିବା ଜାଣିବାକୁ ପାଇଥିଲେ । ଆଜି ସକାଳେ ଗାଁ ପୋଖରୀରୁ କବିତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
