ନରସିଂହପୁର ପୂର୍ବ ବନବିଭାଗ ଅଧୀନ ଚତରାପଦା ସେକ୍ସନ ପାଞ୍ଚଗୋଛିଆ ଖଳିମାଟି ଘେସେରା ଜଙ୍ଗଲରେ ଗୋଟିଏ ୬ ବର୍ଷର ଦନ୍ତା ହାତୀର ଗଳିତ ଶବ ଗତ ୧୮ ତାରିଖରେ ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦନ୍ତା ହାତୀର ମୃତଦେହ ଦେଖିଥିଲେ। ଦନ୍ତା ହାତୀ ଟି ପ୍ରାୟ ୧୫ ଦିନ ପୂର୍ବରୁ ମରିଥିବା ମୃତ ହାତୀର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି। ଗଣମାଧ୍ୟମ କୁ ଲୁଚାଇ ୧୯ ତାରିଖ ଗଣେଷ ପୂଜା ଦିନ ଶବ ବ୍ୟବଛେଦ କରି ହାତୀକୁ ତରବରିଆ ଭାବେ ପୋତି ଦିଆଯାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଛି ବନ ବିଭାଗ।
ଗତ ଦେଢ଼ ବର୍ଷ ମଧ୍ୟରେ ନରସିଂହପୁର ପୁର୍ବ ବନ ବିଭାଗ, ପଶ୍ଚିମ ବନ ବିଭାଗ, ପଡୋଶୀ ବଡମ୍ବା ବନ ବିଭାଗ ଓ ସାତକୋଶିଆ ଜିଲିଣ୍ଡା ବନ୍ୟପ୍ରାଣୀ ବିଭାଗ ଅଧୀନରେ ପ୍ରାୟ 25ରୁ ଅଧିକ ଦନ୍ତାହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ହାତୀର ମୃତ କଙ୍କାଳ ଉଦ୍ଧାର ହୋଇଛି। ସେଥି ମଧ୍ୟରୁ ପ୍ରାୟ ୧୬ ଟି ଦନ୍ତା ହାତୀ ରହିଥିବା ବେଳେ ଅନେକ ଶିକାରୀ ଗୁଳିରେ ଆଉ କିଛି ରୋଗରେ ମରିଥିବା ଜଣାପଡିଛି। ଏନେଇ ପୁର୍ବ ବନ ବିଭାଗ ରେଞ୍ଜର ସୁବାଷ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଗୋଟିଏ ଛୋଟ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି ବୋଲି କହିଛନ୍ତି। ଡିଏଫ୍ଓ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରଯାଇଛି ବୋଲି ରେଞ୍ଜର ଶ୍ରୀ ରାଉତ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର