ଗତ କିଛିଦିନ ଧରି ପ୍ରେମା ଅସୁସ୍ଥ ଥିଲା । ଏନେଇ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ପରେ ଗୋଡ଼ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ଆବଶ୍ୟକ ଚିକିତ୍ସା କରାଯିବା ସହ ପ୍ରେମା ଖୁବଶୀଘ୍ର ସୁସ୍ଥ ହୋଇଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଘା କାରଣରୁ ହାତୀଟି ଠିକସେ ଛିଡ଼ା ହୋଇ ପାରୁ ନଥିବା ଜଣା ପଡ଼ିଛି । ଦୁର୍ବଳ ଗୋଡ଼ ନେଇ କେତେ ଦିନ ସେ ଛିଡ଼ା ହୋଇ ପାରିବ ସେନେଇ ଆଶଙ୍କା ଦେଖା ଦେଇଛି । କୌଣସି କାରଣରୁ ତଳେ ପଡ଼ିଗଲେ ବଞ୍ଚାଇବା କଷ୍ଟକର ହୋଇଯିବ ବୋଲି କୁହାଯାଇଛି ।
ସଂକ୍ରମଣ କମାଇବା ପାଇଁ ପ୍ରତିଷେଧକ ଟିକା ଲଗାତାର ଦିଆ ଯାଉଛି । ଗୋଡ଼ ଉପରେ ବିଶୋଧକ ମଧ୍ୟ ପକା ଯାଉଛି । ଚିକିତ୍ସା ଦ୍ବାରା ହାତୀଟି କିଛି ମାତ୍ରାରେ ସୁସ୍ଥ ହୋଇଥିବା ପ୍ରକାଶ।
୨୧ ବର୍ଷର ହୋଇଥିବା ବେଳେ ତାମିଲନାଡ଼ୁର ଭନ୍ଦାଲୁର ଅଭୟାରଣ୍ୟରୁ ପ୍ରେମାକୁ ଅଣା ଯାଇଥିଲା । ବର୍ତ୍ତମାନ ପ୍ରେମାକୁ ମିଶାଇ ନନ୍ଦନକାନନରେ ମୋଟ ଚାରୋଟି ମାଇ ହାତୀ ଅଛନ୍ତି । ତେବେ ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ତବଥାର କାରଣ ପାଲଟିଥିବା ବେଳେ ନନ୍ଦନକାନନରେ ପ୍ରେମାର ଅସୁସ୍ଥତା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।