ଭୁବନେଶ୍ୱର: ପୁଣି ଆତ୍ମହତ୍ୟା କଲେ ମାର୍କେଟ ବିଲଡିଂର ଆଉ ଜଣେ ଉଠା ଦୋକାନୀ । ମୃତକ ଜଣଙ୍କ ହେଉଛନ୍ତି ସୁବାସ ପଣ୍ଡିତ । ଋଣ ବୋଝ ଯୋଗୁଁ ସୁବାସ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୁବାସଙ୍କର ଘର ବିହାର ଏବଂ ସେ ଭୁବନେଶ୍ୱରର ବଡ଼ଗଡ଼ ଅଂଚଳରେ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ । ମାର୍କେଟ ବିଲଡିଂରେ ସିଜିନ ବେପାର କରିଥାଆନ୍ତି ସୁବାସ । ବାରମ୍ଵାର ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ବି ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନଥିଲା । ଫଳରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ମାର୍କେଟ ବିଲ୍ଡିଂରେ ଅଜିତ ସାହାଣୀ ନାମକ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ । ଅଜିତ ୨୦ ବର୍ଷ ଧରି ମାର୍କେଟ ବିଲ୍ଡିଂ ବୟନିକା ସାମ୍ନାରେ ବେଡ଼ସିଟ ଦୋକାନ ଦେଇଥିଲେ । କିନ୍ତୁ ଏଇ କିଛି ଦିନ ତଳେ ମାର୍କେଟ ବିଲ୍ଡ଼ିଂରୁ ଦୋକାନ ଉଠା ଯିବା ପରେ ମାନସିକ ଚାପରେ ଥିଲେ ଅଜିତ ସାହାଣୀ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।