ଅର୍ଚ୍ଚନା ଗିରଫ ପରେ ଜବତ ଦସ୍ତାବିଜକୁ ଇଡିକୁ ହସ୍ତାନ୍ତର ପାଇଁ ଅଦାଲତରେ ଅପିଲ । ଚାନ୍ଦ ଦମ୍ପତିଙ୍କ ଠାରୁ ଜବତ ହୋଇଥିବା ପେନଡ୍ରାଇଭ, ହାର୍ଡଡିସ୍କ ଓ ମୋବାଇଲରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । କୁହାଯାଉଛି ଏହି ସବୁ ଇଲେଟ୍ରୋନିକ୍ସ ସାମଗ୍ରୀରେ ହିଁ ନାଗ ସାମ୍ରାଜ୍ୟର ଅସଲ କାହାଣୀ ଲୁଚିଛି । ବହୁ ନେତା ମନ୍ତ୍ରୀ, ଅଫିସରଙ୍କ କଳା କାହାଣୀ କଏଦ ହୋଇ ରହିଛି । କେତେ ଟଙ୍କା ବେନାମୀ ଭାବେ ନେଣଦେଣ ହୋଇଛି ସେସବୁ ସାମ୍ନା ଆସିବ ।
ଇଡି ଆର୍ଥିକ ନେଣଦେଣ ଓ ଅନିୟମିତତାର ତଦନ୍ତ କରୁଥିବାରୁ, କାରବାର ହୋଇଥିବା ଟଙ୍କା କିଏ କେଉଁ ଉପାୟରେ ଅର୍ଜନ କଲା ଏହାର ମୂଳକୁ ଯିବ । ନେତା ମନ୍ତ୍ରୀଙ୍କ ବେଆଇନ ରୋଜଗାର ତଥା ନେତା ଅଫିସରଙ୍କୁ ବ୍ୟବହାର କରି ଟେଣ୍ଡର ଫିକ୍ସିଂ ପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାର ରହିଛି । ୫ ତାରିଖରେ ଇଡିରେ ଅର୍ଚ୍ଚନା ଓ ଜଗବନ୍ଧୁ ହାଜର ହେବେ। ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି। ମାତ୍ର ରିମାଣ୍ଡ ପୂର୍ବରୁ ଦସ୍ତାବିଜ ଇଡି ପାଖରେ ନପହଞ୍ଚଇଲେ ତଦନ୍ତ ବାଟବଣା ହୋଇନଥାନ୍ତା କି? ଏହାକୁ ନେଇ ସୃଷ୍ଟି ହୋଇଥିଲା ବଡ ପ୍ରଶ୍ନ ।
ସେପଟେ ଅର୍ଚ୍ଚନା ହନିଟ୍ରାପ ମାମଲାର ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳିର ପତ୍ତା ମିଳୁନି। ଦୁଇଥର ଇଡିରେ ହାଜର ହେବା ପରେ ଏବେ ଇଡି ତାଙ୍କୁ ପଚରାଉଚରା ପାଇଁ ନୋଟିସ କରିଛି। ହେଲେ ସମନ ପରେ ବି ତାଙ୍କ ଦେଖା ମିଳୁନି। ସେ ଏବେ କେଉଁଠି ଅଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାରମ୍ବାର ଡାକରା ପରେ ବି ସେ ଆସୁ ନ ଥିବାରୁ ତାଙ୍କ ନାଁରେ ଖୁବଶୀଘ୍ର ଗିରଫ ୱାରେଣ୍ଟ ଜାରି ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଅର୍ଚ୍ଚନାଙ୍କୁ ଗତ ୬ ତାରିଖରେ ଗିରଫ କରିବା ପରେ ସ୍ବାମୀ ଜଗବନ୍ଧୁଙ୍କୁ ୨୧ ତାରିଖରେ ବାନ୍ଧିଥିଲା ପୋଲିସ।
ଜଗବନ୍ଧୁଙ୍କୁ ଗିରଫ କରିବାରେ ବିଳମ୍ବ ସମୟରୁ ହିଁ ପୋଲିସର ପରିବାପଣିଆକୁ ନେଇ ପ୍ରଶ୍ନ ଉଠିଥିଲା। ଜଗବନ୍ଧୁଙ୍କୁ ବାହାରେ ରଖି ପୋଲିସ ପ୍ରମାଣ ନଷ୍ଟର ଭରପୂର ସୁଯୋଗ ଦେଇଥିଲା ବୋଲି ଚର୍ଚ୍ଚା ହେଇ ଆସୁଥିଲା। ସେହିପରି ଚାନ୍ଦ ଦମ୍ପତିଙ୍କ ପ୍ରମୁଖ ସହଯୋଗୀ ଖଗେଶ୍ବରକୁ ଗିରଫ କରି ନଥିଲା ପୋଲିସ। କିନ୍ତୁ ଇଡି ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଗିରଫ ହୋଇଥିଲା ଖଗେଶ୍ବର । ଏବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଠାରୁ ଜବତ ଦସ୍ତାବିଜ୍ ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ମାମଲାରେ ମାଳମାଳ ହେଭିୱେଟଙ୍କ ସମ୍ପୃକ୍ତି ପଦାକୁ ଆସିଛି । ନେତା, ମନ୍ତ୍ରୀ, ଅଫିସର୍, ପ୍ରଯୋଜକ, ବ୍ୟବସାୟୀଙ୍କ ଶହ ଶହ ଫଟୋ ଘୁରି ବୁଲୁଛି । ତେଣୁ ଜବତ ଦସ୍ତାବିଜର ତଥ୍ୟ ପ୍ରଘଟ ହେଲେ ସମସ୍ତଙ୍କ ମୁଖା ଖୋଲିଯିବ । ନାଗ ସାମ୍ରାଜ୍ୟର ଗୋପନ କଥା ଲୋକଲୋଚନକୁ ଆସିବ ବୋଲି ଚର୍ଚ୍ଚା ଚାଲିଛି ।