ବର୍ତ୍ତମାନ ସମଗ୍ର ବିଶ୍ୱ ସହ ଭାରତ ଓ ଓଡ଼ିଶା କୋଭିଡ୍-୧୯ ପରି ଏକ ଅଭୁତପୂର୍ବ ବିପର୍ଯ୍ୟୟ ବିରୁଦ୍ଧରେ ଲଢ଼େଇ କରୁଛି । ଜନ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ ସର୍ବନିମ୍ନ କରିବା ନିମନ୍ତେ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି । ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ ଏହି କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।
ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଦୃଷ୍ଟିରୁ ପୂର୍ବବର୍ଷମାନଙ୍କ ପରି ପ୍ୟାରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ । ପୋଲିସ୍ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ ଟି ପୋଲିସ୍ ବାହିନୀର ଟ୍ରୁପମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଙ୍ଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଦିବସ ପାଳନର ଲାଇଭ୍ ଚିତ୍ର କମନଫିଡ୍ ମାଧ୍ୟମରେ ସମସ୍ତ ଗଣମାଧ୍ୟମଙ୍କୁ ସଂଯୋଜିତ କରାଯିବ ଯେପରିକି ଜନସାଧାରଣ ନିଜ ନିଜ ଘରେ ଟି.ଭି. ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖି ପାରିବେ ।
ଗୃହ ଏବଂ ସୂଚନା ଲୋକ ସଂପର୍କ ବିଭାଗଙ୍କ ସହ ସମନ୍ୱିତଭାବେ ମଞ୍ଚ ନିର୍ମାଣ ବ୍ୟାରକଡିଂ, ପାନୀୟ ଜଳ ଯୋଗାଣ, ପରିମଳ, ଆଇନ୍ ଶୃଙ୍ଖଳା, ଆଶୁ ଚିକିତ୍ସା, ଅତିଥି ବସିବା ସ୍ଥାନ ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦି ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଞ୍ଜିବ ଚୋପ୍ରା, ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୁର୍ତ୍ତ ସଚିବ ଶ୍ରୀ କ୍ରିଷନ କୁମାର, ପୋଲିସ୍ କମିଶନର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କୋଭିଡ୍ କଟକଣା ସହ ସ୍ୱାଧୀନତା ଦିବସ ପାଳନ ହେବ- ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : କୋଭିଡ୍-୧୯ କଟକଣା ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଧୀନତା ଦିବସ ପାଳନର ବିଭିନ୍ନ ଦିଗ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
Download Argus News App
