ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ସମ୍ମାନ ପାଇବେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିପଡିଆ ଗ୍ରାମର ସଂଗ୍ରାମୀ ନୀଳମଣି ସାମଲ ଏବଂ ବରୀ ବ୍ଲକ କାଇପଡା ଗ୍ରାମର ସଂଗ୍ରାମୀ ଦଧିଚି ସାହୁ । ସଂଗ୍ରାମୀ ନୀଳମଣିଙ୍କ ବୟସ ୯୭ ଛୁଇଁଲାଣି । ତଥାପି ସେ ଚଳଚଂଚଳ । ଦେଶ ମାତୃକାର ସେବା କରିବା ପାଇଁ ଏବେ ବି ତାଙ୍କ ମନରେ ଭରି ରହିଛି ଅଦମ୍ୟ ଆଗ୍ରହ । ମାତ୍ର ୧୯ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ସାମିଲ ହୋଇଥିଲେ ନୀଳମଣି ।
ଏଥିପାଇଁ ତାଙ୍କୁ ୩ବର୍ଷ କାରାବରଣ ଭୋଗିବାକୁ ପଡିଥିଲା । ବଡଚଣାର ସ୍ୱାଧୀନତା ସଂଗ୍ରାମୀ ମାଟି ବାଲିପଡିଆରେ ତାଙ୍କର ଜନ୍ମ । ପୂର୍ବରୁ ନୀଳମଣି ତିନି ତିନି ଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହେବାର ଗୈାରବ ଅର୍ଜନ କରିଛନ୍ତି । ଚଳିତଥର ତାଙ୍କୁ ପୁଣି ଥରେ ମନୋନୀତ କରାଯାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି ।
ସେହିପରି ଯାଜପୁର ଜିଲ୍ଲା ବରୀ ଅଂଚଳର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଦଧିଚି ସାହୁ । ଏବେ ତାଙ୍କୁ ୯୬ ବର୍ଷ । ଆଖିକୁ ଭଲ ଦିଶୁ ନାହିଁ, ସ୍ମୃତି ଶକ୍ତି ବି ରହୁନାହିଁ । ତଥାପି ସେ ଦେଶ ମାତୃକାର ବନ୍ଦନା କରୁଛନ୍ତି । ମାତ୍ର ୧୬ବର୍ଷ ବୟସରେ ଜାତିରପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ମସିହା ଭାରତ ଛାଡଆନ୍ଦୋଳନରେ ସାମିଲ ହୋଇଥିଲେ । ବରୀ କଳାମାଟିଆ ଗୁଳିକାଣ୍ଡର ସେ ହେଉଛନ୍ତି ମୁକସାକ୍ଷୀ । ସେ ମଧ୍ୟ ପୁର୍ବରୁ ଦୁଇ ଦୁଇ ଥର ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ସବୁବର୍ଷ ସଂଗ୍ରାମୀମାନଙ୍କୁ ନିମନ୍ତ୍ରଣ ପୂର୍ବକ ସସମ୍ମାନେ ଦିଲ୍ଲୀ ନିଆଯାଇ ରାଷ୍ଟ୍ରପତିଙ୍କ ଭବନରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥାଏ । ତେବେ କୋଭିଡ କଟକଣା ଯୋଗୁ ଚଳିତଥର ଜିଲ୍ଲା ପ୍ରଶାସନ ସଂଗ୍ରାମୀଙ୍କ ବାସଭନରେ ପହଂଚି ଏହି ସମ୍ମାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।