ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ଘଞଉଇର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ କେତେ ସୁରକ୍ଷିତ ବାଘ । ଓଡ଼ିଶାରେ ବର୍ତ୍ତମାନ ୨୮ ମହାବଳ ରହିଛନ୍ତି । ଶିମିଳିପାଳ ଓ ସାତକୋଶିଆରେ ରହିଛନ୍ତି ୧୮ ବାଘ । ଶିମିଳିପାଳରେ ୧୨ ବାଘ ଚଳପ୍ରଚଳ ହେଉଛନ୍ତି । ସେହିପରି କ୍ୟାମେରାରେ କଏଦ ହୋଇଛନ୍ତି ୮ ବାଘ । ସେହିପରି ସାତକୋଶିଆରେ ମାତ୍ର ଗୋଟିଏ ବାଘ ରହିଥିବା ୨୦୧୮ର ରିପୋର୍ଟ କହୁଛି । ସେହିପରି ୨୦୦୬ ପରଠୁ ଓଡ଼ିଶାରେ କମିଛି ବାଘଙ୍କ ସଂଖ୍ୟା ।
ସେପଟେ ଶିମିଳିପାଳର ପରିବେଶ ନେଇ ମଧ୍ୟ ଚିନ୍ତା ବଢ଼ିଛି । ଉଜୁଡ଼ିବାକୁ ବସିଛି ପରିବେଶ । ଜଙ୍ଗଲରେ କମିଛି ତୃଣଭୋଜୀଙ୍କ ସଂଖ୍ୟା । ସେପଟେ ବ୍ୟାଘ୍ର ସଂରକ୍ଷଣ, ଶିମିଳିପାଳର ସୁରକ୍ଷା ଓ ବିକାଶ ପାଇଁ ବର୍ଷକୁ ମିଳୁଛି ୧୨ କୋଟି ଟଙ୍କା ଏନଟିଏସ । ଏଥିରେ ରାଜ୍ୟ ସରକାରଙ୍କ ଅଂଶ ବି ରହିଛି । କିନ୍ତୁ ଅନୁଦାନକୁ ଠିକ ଭାବରେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର । ଏ ନେଇ ଟ୍ବିଟ କରି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ଏସଟିଆର ଉପନିର୍ଦ୍ଦେଶକ । ବାଘ ଗଣନା ପାଇଁ ଫେଜ-୪ ମନିଟରିଂ ଶେଷ ହୋଇଛି । ବାଘଙ୍କ ଗତିବିଧି ସାମ୍ନାକୁ ଆସିଛି । ତେବେ ଏହା ମାଧ୍ୟମରେ ବାଘ ସଂଖ୍ୟାକୁ ନେଇ କୌଣସି ଆକଳନ କରାଯାଇପାରିବନି ବୋଲି ସେ କହିଛନ୍ତି । ସେହିପରି ଏନଟିଏସ ଅର୍ଥରେ,ତୃଣଭୋଜିଙ୍କ ପାଇଁ ପ୍ରଶସ୍ତ କ୍ଷେତ୍ର, କର୍ମଚାରୀଙ୍କ ଦରମା । ଜଙ୍ଗଲ କ୍ଷୟ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରୁଛନ୍ତି । ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୭ ବାଘଙ୍କ ଜୀବନଯାଇଛି । ସେପଟେ ୨୦୧୮ ଗଣନା ଅନୁସାରେ, ଦେଶରେ ବାଘ ସଂଖ୍ୟା ବଢ଼ିଛି ୩୩ ପ୍ରତିଶତ । କିନ୍ତୁ ଓଡ଼ଶାରେ ବାଘଙ୍କ ସଂଖ୍ୟାକୁ ନେଇ ଚିନ୍ତା ଜାହିର କରିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅତିରିକ୍ତ ନିର୍ଦ୍ଦେଶକ ଅନୁପ କୁମାର ପଟ୍ଟନାୟକ । ଓଡ଼ିଶା ସହ ଛତିଶଗଡ଼ ଓ ଉତ୍ତରପୂର୍ବାଞ୍ଚଳରେ କମୁଛି ବାଘ ସଂଖ୍ୟା ।