ସୂର୍ଯ୍ୟମୁଖୀ ତେଲର ପ୍ରମୁଖ ଉତ୍ପାଦନକାରୀ ଦେଶ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ଖାଇବା ତେଲର ଗଣିତ ଗଡବଡ। ୟୁକ୍ରେନରୁ ତେଲ ଆମଦାନୀ ହୋଇପାରୁନଥିବାରୁ ଦେଶରେ ବଢିଛି ଦର । ସୂର୍ଯ୍ୟମୁଖୀ ତେଲ ଯାହା ଲିଟର ପିଛା 130 ଟଙ୍କା ଥିଲା ତାହା 160 ଟଙ୍କାରେ ପହଞ୍ଚିଛି । ସେହିପରି ପାମ ଅଏଲ୍ ଯାହାର ଲିଟର 120 ଟଙ୍କା ଥିଲା ତାହା 150 ଟଙ୍କାରେ ପହଁଚିଛି । ଯଦି ଯୁଦ୍ଧ ଲାଗି ରହିଲା ଆଗକୁ ଏଥିରେ ଆହୁରି ଦରବୃଦ୍ଧି ହେବାର ଆଶଙ୍କା ରହିଥିବା କହିଛନ୍ତି ବ୍ୟବସାୟୀ।
ଭାରତରେ ଖାଇବା ତେଲର ଚାହିଦା ବର୍ଷକୁ 1 କୋଟି 90 ଲକ୍ଷ ଟନ୍ । ସେ ଭିତରୁ 1 କୋଟି 20 ଲକ୍ଷ ଟନ୍ ଆମେ ବାହାରୁ ଆମଦାନୀ କରୁଛେ । ସେଥିରୁ କେବଳ ୨୪ ଲକ୍ଷ ଟନ୍ ସନଫ୍ଲାୱାର ତେଲ । ଆଉ ଏଥିରୁ ୨୦ ଲକ୍ଷ ଟନ୍ ଆସୁଥିଲା ୟୁକ୍ରେନରୁ । ଏବେ ସେଠାରେ ଯୁଦ୍ଧ ଯୋଗୁଁ କୌଣସି କିଛି ଆମଦାନୀ ହୋଇପାରୁନଥିବାରୁ ବଢିଛି ଦର । ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ରାଜ୍ୟରେ ଆବଶ୍ୟକତା ଥିବା 5 ରୁ 5.30 ଲକ୍ଷ ଟନ୍ ପାଇଁ ଆମେ ବିଦେଶ ଉପରେ ନିର୍ଭର କରୁଛେ । ରାଜ୍ୟ ଚାହିଦାର ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଉଛି । ସେଥିରୁ ୨୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ । ୫୦ ପ୍ରତିଶତ ପାମୋଲିନ ତେଲ । ୟୁକ୍ରେନ ଓ ରୁଷିଆରୁ ହିଁ ଅଧିକ ପରିମାଣରେ ସୂର୍ଯ୍ୟମୂଖୀ ତେଲ ଆମଦାନୀ ହୋଇଥାଏ । ଯୁଦ୍ଧ କାରଣରୁ ଆଉ ତେଲ ଆସିପାରୁନଥିବାରୁ ବଜାରରେ ସୂର୍ଯ୍ୟମୂଖୀ ତେଲ ଦର ବଢୁଛି ।
ୟୁକ୍ରେନ-ଋଷିଆ ଯୁଦ୍ଧ ପାଇଁ କଞ୍ଚା ପାମ୍ ଅଏଲ୍ ପ୍ରତି ଟନରେ ୨ ହଜାର ଡଲାର ବୃଦ୍ଧି ପାଇଛି । ଯଦି ଆମେ ଆମଦାନୀ ଦର କହିବା ତେବେ ଏହା ଲିଟର ପିଛା ୧୬୭.୫୦ ଟଙ୍କାକୁ ବଢିଛି । ଆକାଶ ଛୁଆଁ ତେଲ ଦରକୁ ନେଇ ଚିନ୍ତାରେ ଖାଉଟି ।