ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ଅଚଳାବସ୍ଥା। ଦ୍ଵିତୀୟ ଦିନରେ ବି ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ । ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଅଠାକାଠିରେ ପକାଇଛନ୍ତି। ସବୁ କାର୍ଯ୍ୟ ବନ୍ଦ କରି ମଣ୍ଡି ସମସ୍ୟା, ଟୋକନ ଅବ୍ୟବସ୍ଥା, ଧାନର କଟଣୀ ଛଟନି ଭଳି ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଅଡି ବସିଛନ୍ତି। ତେବେ ଆଜି ଦ୍ଵିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣୀ ବିଜେପି ବିଧାୟକମାନେ ପ୍ଲାଗ କାର୍ଡ ପ୍ରଦର୍ଶନ କରିବା ସହ ଦେହରେ ଗାଉନ ପିନ୍ଧି ଗୃହର ମଧ୍ୟଭାଗରେ ନାରାବାଜି ଦେଇଥିଲେ। ଆଉ ଏହା ପରେ ବିଜେପି ବିଧାୟକମାନଙ୍କ ସହ ସାମିଲ ହୋଇ କଂଗ୍ରେସ ବିଧାୟକ ଚାଷୀ ପ୍ରସଙ୍ଗରେ ଜୋରଦାର ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ପ୍ରଥମେ 11 ଟା 30 ଓ ପରେ 4 ଟା ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ସେହିପରି ଅପରାହ୍ନ ଅଧିବେଶନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବାରମ୍ବାର ଗୃହ ମୁଲତବୀ ହେବା ପରେ ଗୃହକୁ ସ୍ବଭାବିକ କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।
ସେପଟେ ଶାସକ ଦଳ କିନ୍ତୁ ପାଲଟା ବିରୋଧୀଙ୍କୁ ଏଥିପାଇଁ ଦାୟୀ କରିଛି । ଗୃହରେ ହଟ୍ଟଗୋଳ ନେଇ ବିଜେଡି ବିଧାୟକ ସରୋଜ ମେହେର କହିଛନ୍ତି ଧାନ କିଣାକୁ ନେଇ କେନ୍ଦ୍ର ସରକାର ଯେତିକି ଟଙ୍କା ବାକି ରଖିଛନ୍ତି ତାହା ପୁରଣ ହେଲେ ସବୁ ଧାନ ଉଠିଯିବ ।
ଧାନକିଣା ସମସ୍ୟା ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ଟୋକନ ସମୟ ସୀମା ସରିଯିବା ଯୋଗୁଁ ପଦ୍ମପୁରରେ ସ୍ଥିତି ସଂଙ୍ଗୀନ ହୋଇଛି । ଧାନ ବିକ୍ରି ନହେବାରୁ ୭ଦିନ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣାରେ ବସିଛନ୍ତି । ଏପଟେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଖୋଲା ଆକାଶ ତଳେ ପଡିଥିବା ଧାନ ଚାଷୀଙ୍କ ଚିନ୍ତା ବଢାଇଛି । ସେହିପରି ଆଠମଲ୍ଲିକରେ ଧାନ ବିକ୍ରି ନ ହେବାରୁ ଚାଷୀ ମଣ୍ଡିରେ ତାଲା ପକାଇଛନ୍ତି ।
ଧାନକିଣା ପ୍ରସଙ୍ଗରେ ଶନିବାର ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ରୁଲି ଦେଇଛନ୍ତି । ପୁଣି 7 ଦିନ ପରେ ଧାନକିଣା ଅଗ୍ରଗତି ନେଇ ଗୃହକୁ ଜଣାଇବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏବେ ପଢନ୍ତୁ ଧାନକିଣାର ସରକାରୀ ତଥ୍ୟ ଉପରେ, ଧାନବିକିବା ପାଇଁ ଏଥର 14 ଲକ୍ଷ 99 ହଜାର ଚାଷୀ ନାଁ ପଞ୍ଜିକରଣ କରିଛନ୍ତି । ଏଥିରୁ 14 ଲକ୍ଷ 70 ହଜାର ଚାଷୀଙ୍କ ଆକାଉଣ୍ଚ ଯାଞ୍ଚ ହୋଇଛି । ଏବେ ସୁଦ୍ଦା 9 ଲକ୍ଷ 75 ହଜାର ଚାଷୀ ଧାନ ବିକିଛନ୍ତି । ତେବେ ବଡକଥା ହେଉଛି ଖରିଫର ଟାର୍ଗେଟ 54 ଲକ୍ଷ ମେଟ୍ରିକ ଟନ ଥିବା ବେଳେ ଏହାଠାରୁ ଅଧିକ 54 ଲକ୍ଷ 23 ହଜାର ମେଟ୍ରିକ ଟନ ଧାନ ସରକାର କିଣିସାରିଲେଣି । ଏବେ ପ୍ରଶ୍ନ ବାକିଥିବା 5 ଲକ୍ଷ ଚାଷୀଙ୍କ ଧାନ ସରକାର କେମିତି କିଣିବେ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କିନ୍ତୁ ମୁହଁ ଖୋଲୁନାହାଁନ୍ତି ।