ଅର୍ଗସ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗା ପୂଜା । ଏଥିପାଇଁ ଏବେଠାରୁ ସିଲଭର ସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି, ଚଳଚଞ୍ଚଳ ହୋଇଛି ପୂଜା ମଣ୍ଡପ । ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପରେ ଚାନ୍ଦି ମେଢର ସଫେଇ କାର୍ଯ୍ୟ ଜାରି ରହିଛି । ସେପଟେ ମାଟି ଉଠା ପରେ ଆଜିଠାରୁ ଆରମ୍ଭ ହୋଇଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ଚାନ୍ଦିନୀ ଚୌକ ପୂଜା କମିଟି ଆଜିଠାରୁ ନଡା ବନ୍ଧା କାର୍ଯ୍ୟ ଆରମ୍ଭ କରିଛି । ଆସନ୍ତାକାଲି ମୂର୍ତ୍ତିରେ ଏକ ମାଟିଆ ପରେ ଦୋ ମାଟିଆ ଏବଂ ଖଡିଲଗା ଅମାବାସ୍ୟାରେ ଖଡ଼ିଲାଗି କରାଯିବ ବୋଲି କହିଛନ୍ତି ମୂର୍ତ୍ତି କାରିଗର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ସହରର ଅନ୍ୟତମ ପ୍ରବେଶ ପଥ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି ଚାନ୍ଦି ସଫା କାର୍ଯ୍ୟ । ଦୀର୍ଘ ୨୦ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପଲଟିବ ମଦୁରାଇ ମିନାକ୍ଷୀ ମନ୍ଦିରର ପ୍ରତିକାତ୍ମକ ତୋରଣ । ଚଳିତ ବର୍ଷ ସିଲଭର ସିଟିରେ ଆଉ ଦୁଇଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ୨୭ ଟି ଚାନ୍ଦି ମେଢରେ ମା' ପୂଜା ପାଉଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏ ବର୍ଷ ମହମ୍ମଦିଆ ବଜ଼ାର ଏବଂ କାଫଲା ବଜ଼ାର ପୂଜା କମିଟି ମଧ୍ୟ ଚାନ୍ଦି ମେଢ଼ କରୁଛନ୍ତି । ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଆସନ୍ତା ୧୮ ତାରିଖ ଦିନ ଏହାର ସୁଭ ଉଦଘାଟନ ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ପୂଜାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବୈଠକ ଶେଷ ହୋଇଛି ।