ପ୍ରଦୀପ ସେନାପତିଙ୍କ ପରିବାର କହିଲେ 4 ଜଣ । 2 ପୁଅ ଏବଂ ସ୍ୱାମୀ, ସ୍ତ୍ରୀ। ପେସାରେ ସେ ଜଣେ ଅଟୋ ଚାଳକ। ଅଟୋ ନଚଲେଇଲେ ଘରେ ଚୁଲି ଜଳେନି। ତଥାପି ନିଶା ତାଙ୍କର ସାଙ୍ଘାତିକ ନିଶା। କିନ୍ତୁ ଘରର ଏଭଳି ସ୍ଥିତିରେ ଯଦି ଆଖପାଖ ଅଞ୍ଚଳରୁ ସାପଟିଏ ଥିବା ଖବର ମିଳେ ସେ ପେଟପାଟଣା ଭୁଲି ଦଉଡିଯାନ୍ତି ସାପ ଧରିବାକୁ। ଛାତଠୁ ଆରମ୍ଭ କରି ବଣ ବୁଦା ସବୁଠି ଚଢି ଯାଆନ୍ତି। ବିଷଧର ସାପକୁ ଲୋକଙ୍କ ମୁହଁରୁ ମୃତ୍ୟୁ ମୁଖରୁ ଉଧାରକରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବା ସହ ଲୋକଙ୍କୁ ମଧ୍ୟ ସାପ ମୁହଁରୁ ବଞ୍ଚାଇବା।
ଦେଖଣହାରୀ ଭୟଭୀତ ହୋଇ କୋଷେ ଦୂରରେ ଛିଡା ହେଉଥିବା ବେଳେ ତାଙ୍କ ମନରେ ଟିକେ ଭୟ ନାହିଁ। ସତେ ଯେମିତି ପୋଖତ ସାପୁଆ କେଳା। କେବଳ ସେତିକି ନୁହେଁ ଯଦି ସାପକୁ ଉଧାର କରିବା ପରେ ସାପଟିର କୌଣସି ସ୍ଥାନରେ କ୍ଷତ ହୋଇଥିବା ଦେଖନ୍ତି ତାକୁ ତୁରନ୍ତ ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ଯାଆନ୍ତି ଏବଂ ଚିକିତ୍ସା କରି କ୍ଷତ ପୂରଣ ହେବାପରେ ତାକୁ ଛାଡ଼ନ୍ତି। ଏଇ କିଛି ଦିନପୁର୍ବରୁ ଏକ ଆହତ ଗୋଖର ନାଗ ସାପକୁ ଚିକିତ୍ସା କରି ତାକୁ ନିଜ ପରିବାର ସହ ରଖି ଖାଇବାକୁ ଦେଇ 3 ଦିନ ନିଜ ଘରେ ରଖି ଭଲହେବା ପରେ ଜଙ୍ଗଲରେ ଛାଡିଛନ୍ତି।
ଯାହା ତାଙ୍କ ସାପ ପ୍ରେମର ନିଛକ ଉଦାହରଣ ଦେଖାଉଛି। ତେବେ ଏନେଇ ତାଙ୍କ ପତ୍ନୀ କହନ୍ତି ଆମେ ସବୁ ବେଳେ ମନାକଲେ ବି ସେ ଶୁଣନ୍ତି ନାହିଁ ସାପ ପ୍ରତି ତାଙ୍କର ନିଶା ପାଲଟି ଯାଇଛି ଖାଲି ସାପ ନୁହେଁ କୁକୁର, ମାଛ ଭଳି ପ୍ରାଣୀକୁ ସେ ବେଶ ଭଲ ପାଆନ୍ତି।
ସାପ ଧରିବାକୁ ସେ କେଉଁଠାରୁ ତାଲିମ ନେଇ ନାହାନ୍ତି ବରଂ ନିଜର ଇଛାଶକ୍ତି ସହ ଡିସ୍କୋଭରି ଚ୍ୟାନେଲ ଦେଖି ସେ ସାପ ଧରିବା କୌଶଳ ଶିଖିଥିବା କହିଛନ୍ତି। ବିଗତ 5 ବର୍ଷ ମଧ୍ୟରେ ୨ ହଜାରରୁ ଊର୍ଦ୍ଧ୍ଵ ବିଷଧର ସାପ ଧରି ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି । କେବଳ ସତିକି ନୁହେଁ ଗତ ବର୍ଷ ୨୦ ଫୁଟର ଅହିରାଜ ସାପକୁ କାବୁକରି ପ୍ରଦୀପ ଏକ ପରିବାରକୁ ବଞ୍ଚାଇଥିବା ବେଳେ ସାପଟିକୁ ଅକ୍ଷତ ଭାବେ ସୁରକ୍ଷିତରେ ଜଙ୍ଗଲରେ ଛାଡି ଜିଲ୍ଲା ପ୍ରଶାସନର ବାହାବାହା ସାଉଣ୍ଟିଛନ୍ତି।ଏଥିରେ ତାଙ୍କୁ କେହି ପାରିଶ୍ରିମିକ ଦିଅନ୍ତି ନାହିଁ । ବରଂ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ପ୍ରଦୀପ ।
କିନ୍ତୁ ସାପ ଧରିବା ବନ ବିଭାଗର ଦାଇତ୍ଵ। କେବଳ ବିଭାଗ ଅନୁମତି ପ୍ରଦାନ କରି ଚୁପ ବସି ରହିଥିବା ବେଳେ ତାକୁ ନେଇ ଜଙ୍ଗଲରେ ଛାଡିବା ସମୟରେ ବନ ବିଭାଗ ସହଯୋଗ କରୁନଥିବା ସହ କୌଣସି ପାରିଶ୍ରମିକ ପାଉନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ।