
ସମ୍ବଲପୁର: ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ମୁଦୀପଡା ପାଣି ଟାଙ୍କି ପଡାରେ । ଏକ ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ଭଡା ଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଏପରି ଉତ୍କଟ ଗନ୍ଧ ବାହାରିବା ଲୋକଙ୍କ ମନ ଭିତରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା ସ୍ଥାନୀୟ ଲୋକେ ଦେଖି ନଥିବାରୁ ଲୋକଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଘର ଭିତର ଶବ ପଚିଶଢୀ ଦୁର୍ଗନ୍ଧ ବାହାରୁଥିବା ପୋଲିସ ସନ୍ଦେହ କରିଥିଲା ।
ତେବେ ଗତ ବିଳମ୍ବିତ ରାତ୍ରୀରେ ପୋଲିସ ଏହି ଖବର ପାଇଥିଲେ ମଧ୍ୟ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲା ଯାଇଛି । ଘରଟି ଖୋଲିବା ପରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ଏଭଳି ମୃତଦେହ ଦେଖି ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ଘର ମାଲିକ ଏଠାରେ ରହୁ ନଥିବାରୁ ମାଲିକକୁ ପୋଲିସ ସୂଚନା ଦେଇଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏକ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ତାଙ୍କର ୪ ବର୍ଷର ଶିଶୁ ସହ ରହୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହି ଦିନ ପରଠାରୁ ଏହି ଘରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଛାନଭିନ୍ନ କରୁଛି ଟାଉନ୍ ପୋଲିସ୍ ।
