
ବାଲେଶ୍ଵର : ସରକାରଙ୍କର 5ଟି ଯୁଗରେ ବାଲେଶ୍ଵର ପୌରପାଳିକାର 40ଟି ରାସ୍ତା କାମରେ ଅହେତୁକ ବିଳମ୍ବ, ସହରରେ ଡ୍ରେନେଜ ସମସ୍ୟା ଓ ସଫେଇ କାର୍ଯ୍ୟରେ ଅନିୟମିତତା ଆଦି ପ୍ରତିବାଦରେ ଆଜି ସଦର ବିଧାୟକ ମଦନ ମୋହନ ଦତ୍ତ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ମଦନମୋହନ ଦତ୍ତ ଅଭିଯୋଗ ଆଣିଛନ୍ତି ଯେ, ଜାନୁଆରୀ ମାସରେ ଟେଣ୍ଡର ଆଗତ ଓ କାର୍ଯ୍ୟାଦେଶ ଵଣ୍ଟନ ପ୍ରକ୍ରିୟା ସମାପ୍ତ ପାଇଁ ଧାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଆଜି ଯାଏଁ କାର୍ଯ୍ୟରେ ଅଗ୍ରଗତି ହେଉନି। ସହରରେ ରାସ୍ତାଘାଟର ଅବସ୍ଥା ବେହାଲ ଥିଲେ ମାତ୍ର ପୌରପାଳିକା ପାଖେ ଅର୍ଥ ଥାଇ ମଧ୍ୟ ତତ୍ପରତା ଦେଖାଉ ନାହାଁନ୍ତି। ସେହିପରି 2011/2012 ମସିହାରୁ ପଡିରହିଥିବା 10କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ବ୍ୟବହାର ହେଉ ନଥିବା ଆଦି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ।
ବିଧାୟକ ମଦନମୋହନ ଦତ୍ତ ପୁଣି କହିଛନ୍ତି ଯେ, ଏ ବିଷୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାନସଭାରେ ଉଠାଇଥିଲେ ମଧ୍ୟ ଶାସକ ଦଳର ଚାପରେ କିଛି କାମ ହେଉନି। ତେଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଏସବୁ କାର୍ଯ୍ୟ ସମାପ୍ତ ନ କଲେ ଆଗାମୀ ଦିନରେ ବିଧାୟକ ନିଜେ ଧାରଣାରେ ବସିବା ସହ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।
