ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାରେ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ଭିତରେ ଥିବା ସମ୍ପତ୍ତିର ଆକଳନ ପାଇଁ ଏକ ହାଇପାୱାର କମିଟି ଗଠନ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବାର ଦୁଇ ମାସ ମଧ୍ୟରେ ରାଜ୍ୟ ସରକାର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମ୍ପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରତ୍ନଭଣ୍ଡାର ଛାତ, ମରାମତି ନହେଲେ ଭୁଶୁଡ଼ି ଯିବାର ଭୟ ! ପୂର୍ବରୁ ଏଏସଆଇ ପକ୍ଷରୁ ଏମିତି ରିପୋର୍ଟ ଦିଆଯିବା ସତ୍ବେ ରତ୍ନଭଣ୍ଡାର ଖୋଲିବାକୁ ରାଜି ହେଉ ନ ଥିଲେ ଓଡ଼ିଶା ସରକାର ।
ଏବେ ଏହି ମାମଲାରେ ଦୃଢ଼ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ହାଇପାୱାର କମିଟି ଗଠନ କର । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ ପରେ ଦୁଇ ମାସ ମଧ୍ୟରେ ରତ୍ନଭଣ୍ଡାର ଭିତରେ ଥିବା ବିଭିନ୍ନ ଅଳଙ୍କାର ଆଦିର ଯାଂଚ ପାଇଁ ହାଇପାୱାର କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ।
ରତ୍ନଭଣ୍ଡାର ଅସୁରକ୍ଷିତ, ଜାଣି ବି ଖୋଲିବା ନେଇ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ସରକାର। ଅଭିଯୋଗ ହେଉଛି ଏହା ପଛରେ ରହିଛି ବିଜେଡି ସରକାରଙ୍କ ଜଗନ୍ନାଥ ଓ ସନାତନ ବିରୋଧୀ ଆଭିମୁଖ୍ୟ। କେବଳ ରତ୍ନଭଣ୍ଡାର ନୁହେଁ ବ୍ରହ୍ମବିଭ୍ରାଟରୁ ନେଇ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ରହିଆସିଛି ଓଡ଼ିଶା ସରକାରଙ୍କ ଭୂମିକା। ବାରମ୍ବାର ସାମ୍ନାକୁ ଆସିଛି ସରକାରଙ୍କ ପରିଚାଳନାଗତ ତ୍ରୁଟି ଓ ଖାମଖିଆଲ ମନୋଭାବ।
1 – ବ୍ରହ୍ମ ବିଭ୍ରାଟ – 2015 ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ସମୟରେ ହେଲା ଘୋର ବିଭ୍ରାଟ। ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା ।
2 – ରଥଯାତ୍ରା ବନ୍ଦ ନିଷ୍ପତ୍ତି – କୋରୋନା ସମୟରେ ବାହାନା କରି ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁରୁଖୁରୁରେ ରଥଯାତ୍ରା ହେଲା।
3 – ଚାରି ଦୁଆର ଖୋଲିବା ପ୍ରସଙ୍ଗ – ଚାରିଦ୍ବାର ଖୋଲା ପ୍ରସଙ୍ଗରେ ମଧ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭୂଆଁ ବୁଲାଇଛନ୍ତି ସରକାର ।
ଏବେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ଚାରିଦ୍ବାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ସତ୍ବେ ନିଜ ଜିଦରେ ଅଟଳ ରହିଛନ୍ତି ସରକାର । 4 – ନୀତି ବିଭ୍ରାଟ – ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ପାଲଟି ଯାଇଛି ସରକାରୀ ନୀତି । ନିୟମିତ ହେଉନାହିଁ ବନକ ଲାଗି । ପ୍ରାୟ 4 ମାସ ବନ୍ଦ ରହିବା ପରେ ନିଷ୍ପତ୍ତି ହୋଇଥିଲା ମାସକୁ ଦୁଇ ଥର ବନକ ଲାଗି କରାଯିବ। କିନ୍ତୁ ଏବେ ପୁଣି ମାସକ ହେଲା ଏହି ନୀତି ବନ୍ଦ ରହିଛି। 5 – ରତ୍ନ ଭଣ୍ଡାର - ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତ ସବୁ ସୀମା ଟପିଛି ସରକାରଙ୍କ କେଳେଙ୍କାରୀ। ବର୍ଷ ପରେ ବର୍ଷ ବିଭିନ୍ନ ଆଳ ଦେଖାଇ ରତ୍ନଭଣ୍ଡାର ଖୋଲିବାକୁ ଏଡ଼ାଇ ଆସୁଛନ୍ତି । ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସନ୍ଦେହ ଘେରରେ ସରକାରଙ୍କ ଭୂମିକା ।
2018 ମସିହାରେ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବାଧ୍ୟ ହୋଇ ନଇଁଥିଲେ ସରକାର । 17 ଜଣିଆ କମିଟି ରତ୍ନଭଣ୍ଡାର ଯାଂଚ ପାଇଁ ଯାଇଥିଲେ ବି ଭିତର ରତ୍ନଭଣ୍ଡାର ଦେଖିପାରିନଥିଲେ। ସେତେବେଳେ ଚାବି ହଜିଯିବା ବାହାନା କରିଥିଲେ ସରକାର। ତେବେ ବାହାର ରତ୍ନଭଣ୍ଡାରରୁ ଅନୁଧ୍ୟାନ କରି ସେତେବେଳେ କମିଟି ରିପୋର୍ଟ ଦେଇଥିଲା। ରତ୍ନଭଣ୍ଡାର କାନ୍ଥ, ଛାତ ସବୁ କିଛି ବିପଦଶଙ୍କୁଳ ଅବସ୍ଥାରେ। ତୁରନ୍ତ ମରାମତି ଆବଶ୍ୟକ। କିନ୍ତୁ 2018ରୁ ନେଇ 2023 ଯାଏଁ କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର ? ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଭୟ କାହିଁକି ? 45 ବର୍ଷ ହେଲା କାହିଁକି ହେଉନାହିଁ ରତ୍ନଗଣନା ? ସୁରକ୍ଷିତ ଅଛି ତ ଶ୍ରୀଜୀଉଙ୍କ ରତ୍ନ ? ରତ୍ନଭଣ୍ଡାର ଖୋଲିଲେ ଖୋଲିଯିବ କି ରାଜ୍ୟ ସରକାରଙ୍କ ପୋଲ୍ ? ସନାତନ ଧର୍ମ ଓ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ କାହିଁକି ଖେଳୁଛନ୍ତି ବିଜେଡି ସରକାର ?