ଶୁକ୍ରବାର ବେଳ ବୁଡ଼ୁବୁଡ଼ୁ ଖବର ଆସିଲା ବାହାନଗାରେ ଘଟିଛି ବଡ଼ ଦୁର୍ଘଟଣା । ତେଣୁ କେମିତି ବଞ୍ଚିବ ଜୀବନ, କେମିତି ଅନ୍ଧାରର ଛାତି ଚିରି କରାଯିବ ରେସ୍କ୍ୟୁ ଅପରେସନ ଆରମ୍ଭ ହେଲା ତ୍ବରିତ ପ୍ରକିୟା । ଉଦ୍ଧାରକାରୀ ଦଳ ସହ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଉଯାଉ ଏପଟେ ଆକ୍ସନ ମୋଡକୁ ଆସିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସ୍ଥାନୀୟ ଲୋକ ବି ପୂରା ଦମରେ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଗ୍ନିଶମ ଡିଜିଙ୍କୁ ଏକ୍ସଟ୍ରା ପାୱାର ଦେଇ ଘଟଣାସ୍ଥଳକୁ ପଠାଯାଇଥିଲା । ସାଥିରେ ଏସଆରସି ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଛୁଟିଥିଲେ । ମୁଖ୍ୟ ଶାସନ ସଚିବ ନିଜେ ଆକ୍ଟିଭ୍ ମୋଡରେ ସର୍ଭେଲାନ୍ସ କରିବା ସହ ଟିକିନିଖି ତଦାରଖ କରୁଥିଲେ । ସେପଟେ ପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏସଆରସିଙ୍କ କାର୍ଯ୍ୟାଳୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ।
ଦୁର୍ଘଟଣାସ୍ଥଳରେ ସହାୟତା କରିବା ନିମନ୍ତେ ପାଖାପାଖି ୨୦୦ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଏହାଛଡ଼ା ୩୦ଟି ବସ୍ ମଧ୍ୟ ଉଦ୍ଧାର କାମରେ ଲାଗିଥିଲା । ୮ ଏନ୍ଡିଆରଏଫ୍ ଟିମ୍, ୫ ଓଡ୍ରାଫ୍ ଟିମ୍, ୨୪ ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାମରେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଲାଗୁଡ଼ିକର ଡାକ୍ତରମାନଙ୍କୁ ହାଇଆଲର୍ଟରେ ରଖାଯାଇଥିଲା । ୧୦୦ଟି ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରି ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥାଲା । ସ୍ଥାନୀୟ ହସ୍ପିଟାଲ ସହ ବାଲେଶ୍ବର, ଭଦ୍ରକ ଜିଲ୍ଲା ହେଡକ୍ବାର୍ଟର ହସ୍ପିଟାଲ, କଟକ ଏସସିବି ଏବଂ ଭୁବନେଶ୍ବର ଏମ୍ସକୁ ମଧ୍ୟ ଆଲର୍ଟରେ ରଖାଯାଇଥିଲା । ବାଲେଶ୍ବରରୁ କଟକ ମଧ୍ୟରେ ସମସ୍ତ ପ୍ରାଇଭେଟ୍ ହସ୍ପିଟାଲକୁ ବି ଆଲର୍ଟ ମୋଡରେ ରଖାଯାଇଥିଲା।
କେନ୍ଦ୍ର ସରକାର ବି ଫୁଲ୍ ଆଲର୍ଟ ମୋଡରେ ଆହତଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିଲେ । ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନିଜେ ରେଳମନ୍ତ୍ରୀଙ୍କ ସହ ଘନଘନ କଥାବାର୍ତ୍ତା କରୁଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏୟାରଫୋର୍ସକୁ ବି ରେସ୍କ୍ୟୁ ଅପରେସନରେ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଥିଲେ । ଦଶନ୍ଧିର ସର୍ବବୃହତ ରେଳ ଦୁର୍ଘଟଣାର ମୁକିବିଲା ପାଇଁ ସେନା ବି ବେଶ ଦମଖମ୍ ଲଗାଇଥିଲା । ଶେଷରେ ସମସ୍ତଙ୍କ ସାହାଯ୍ୟ ସହଯୋଗ ବଳରେ ପାଖପାଖି ୧୯ ଘଣ୍ଟାର ଲଗାତାର ଅପରେସନ ପରେ ସରିଥିଲା ଉଦ୍ଧାର କାର୍ଯ୍ୟ । କେନ୍ଦ୍ର ରାଜ୍ୟ ମିଳିତ ସହଯୋଗରେ ଏତେ ବଡ଼ ଦୁର୍ଘଟଣାରେ ତ୍ବରିତ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଲା । ଏପିରିକି ପ୍ରଧାନମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା ସହ ଦୁଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ବାଲେଶ୍ବରରେ ରହି ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର