ଶହ ଶହ ଶବ ଦେଖିବା ପରେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ। ପିଲା ସ୍କୁଲ ନ ଯିବାକୁ ଜିଦି କରୁଥିବାରୁ ଚିନ୍ତାରେ ଅଭିଭାବକ। ଛାତ୍ରଛାତ୍ରୀ ଯେଉଁ ଶ୍ରେଣୀଗୃହରେ ପାଠ ପଢୁଥିଲେ, କେଇ ଦିନ ପୂର୍ବରୁ ସେଇ ବେଞ୍ଚ, ଡେସ୍କରେ ରଖାଯାଇଥିଲା ଶତାଧିକ ଶବ । ଟ୍ରେନ ଦୁର୍ଘଟଣା ପରେ ବଗିରୁ ବାହାରୁଥିବା ମୃତ ଦେହକୁ ଆଣି ଏଠାରେ ରଖାଯାଉଥିଲା । ଶବ ଗୁଡିକୁ ଏବେ ସେଠାରୁ ସ୍ଥାନାନ୍ତର କରାଯାଇଛି ସତ ହେଲେ ଛାତ୍ରଛାତ୍ରୀଙ୍କ ମନକୁ ଭୟ ଘାରୁଛି ।
ସ୍କୁଲ ଖୋଲିବାକୁ ଅନେକ ଦିନ ରହିଥିଲେ ବି ସେହି ସ୍କୁଲକୁ ନଯିବାକୁ ଜିଦି କରୁଛନ୍ତି କିଛି ଛାତ୍ରଛାତ୍ରୀ । ଶବ ଗୁଡିକ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସ୍କୁଲ ଚଟାଣରୁ ରକ୍ତ ଗନ୍ଧ ଯାଇନାହିଁ । ଏଥିପାଇଁ ସ୍କୁଲରେ ହୋଇଥିବା ବୈଠକରେ ପଡି, ଜିଲ୍ଲା ଶିକ୍ଷା ଅଧିକାରୀ, ବିଡିଓ ଓ ସ୍କୁଲ ପରିଚାଳନା କମିଟି ସାମିଲ ହୋଇଥିଲେ । ଅଭିଭାବକଙ୍କ ସହ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି । ଏହାସହିତ ପିଲାଙ୍କୁ ନେଇ କାଉନସେଲିଂ କରାଯିବ। ସେମାନେ ଯାହା କହିବେ ବା ତାଙ୍କ ମନ ବୁଝିବା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଆବଶ୍ୟକ ପଡିଲେ ସେହି ସ୍କୁଲ ଘରକୁ ଭଙ୍ଗାଯାଇପାରେ । ଅଭିଭାବକଙ୍କ ସହ ଆଲୋଚନା ପରେ ସୂଚନା ରଖିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର