
ବୌଦ୍ଧ: ପରିବର୍ତ୍ତନ ସହ ତାଳ ଦେଇ ପ୍ଲାଷ୍ଟିକ ଯୁଗରେ ବି ରହିଛି ବାଉଁଶ ତିଆରି ବିଭିନ୍ନ ଜିନିଷର ଚାହିଦା । ଯାହା ଫଳରେ ଗୋଟିଏ ଗାଁର ୫୦ ପରିବାରକୁ ବାଉଁଶ ଯୋଗାଉଛି ଦାନା । ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ଜୀବନ୍ତ ରୂପ ଦେଉଛନ୍ତି କାରିଗର । ମାତ୍ର ସରକାରୀ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ କୂଳ ବେଉସାରୁ ଦୂରେଉ ଯାଉଛନ୍ତି ବାଉଁଶ କାରିଗର । ଏ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶ କାରିଗରୀ ନାମରେ ପରିଚିତ ଘିମୁହାଣି ଗାଁ କଥା ।

ଗାଁରେ ମାହାର ସମ୍ପ୍ରଦାୟର ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଗାଁ ଟି ବାଉଁଶ କାରିଗର ନାମରେ ସାରା ଜିଲ୍ଲାରେ ପରିଚିତ । ସକାଳ ପାହିଲେ ହାତରେ କଟୁରୀ ଧରି ବାଉଁଶ ସହ ଖେଳେ କାରିଗର । ବାଉଁଶରୁ ଭୁଗା, ଡଲା, କୁଲା, ଚେୟାର, ଟେବୁଲ, ବିଂଚଣା ଆଦି ତିଆରି କରି ପାଖ ବଜାର କିମ୍ବା ଗାଁ ଗାଁ ବୁଲି ବିକ୍ରି କରନ୍ତି ଏହି ଗାଁର ଲୋକେ । ବଜାର କହିଲେ ପାଖ ଗାଁ ତିଲେଶ୍ୱରରେ ହେଉଥିବା ସାପ୍ତାହିକ ହାଟରେ ବିଶେଷ ଭାବରେ ବିକ୍ରି ହେଉଥିବା କହନ୍ତି ବାଉଁଶ କାରିଗର ।

ଗୋଟିଏ ପଟେ ନିଜର ଦାରିଦ୍ରତା କାରଣରୁ ନିଜ କୂଳ ବେଉସାକୁ ବଜାଇ ରଖିବାବେଳେ ସରକାରୀ ସ୍ତରରୁ ସେଭଳି କିଛି ପ୍ରୋତ୍ସାହନ ମିଳୁନଥିବାରୁ ବାଧ୍ୟ ହୋଇ କୁଷଳି କାରିଗର ମାନେ ନିଜ ବୃତ୍ତି ଛାଡି ଦାଦନ ତଥା ମୁଲ ମଜୁରି କାମ କରୁଛନ୍ତି । ସେହିପରି ବାଉଁଶକୁ ଚଢା ଦରରେ କିଣୁଥିଲେ ସୁଦ୍ଧା ଆଜିର ଏହି ପ୍ଲାଷ୍ଟିକ ଯୁଗରେ ବାଉଁଶ ତିଆରି ଜିନିଷର ଚାହିଦା ସେତେଟା ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ କୌଣସି ଦଲାଲ ହାତରେ ଅଳ୍ପ ଦରରେ ବିକ୍ରି କରି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ତେବେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଳେ ସେମାନେ ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି କାରିଗର ।
