ସମ୍ବଲପୁର: କୁଚିଣ୍ଡାରେ କର୍ଣ୍ଣାଟକ ଭଳି କଦଳୀ ଚାଷ । ବାର୍ଷିକ ରୋଜଗାର ହେଉଛି ୭ରୁ ୮ ଲକ୍ଷ ଟଙ୍କା । ୧୨ଟି ପରିବାରକୁ ନିଯୁକ୍ତି ଦେଇଛନ୍ତି କୁଚିଣ୍ଡା ତୁରେଇ ନିକ୍ତିମାଲ ଗାଁର ଦାସମଣୀ କିଷାନ। କଦଳୀ ଗଛର ଗହଳ ଭିତରେ ଦେଖିବାକୁ ମିଳୁଛି ବେଶ ବଡ଼ ଆକାରର କାନ୍ଧି । ଗୋଟିଏ ଦୁଇଟି ଗଛ ନୁହଁ ବରଂ ଏଠାରେ ଥିବା ହଜାର ହଜାର ଗଛରେ ପଡିଛି କାନ୍ଧି । ଆନ୍ଧ୍ର ଓ କର୍ଣ୍ଣାଟକ କଦଳୀ ବଗିଚାର ଭ୍ରମ ସୃଷ୍ଟି କରିଛି କୁଚିଣ୍ଡାର ଏହି କଦଳୀ ଫାର୍ମ । ଚାଷ ପ୍ରତି ରହିଥିବା ଆଗ୍ରହକୁ ଏଭଳି ଭାବରେ ସାକାର କରିଛନ୍ତି କୁଚିଣ୍ଡା ବ୍ଲକ କୁନ୍ତରା ପଂଚାୟତ ତୁରେଇ ନିକ୍ତିମାଲ ଗାଁର ଦାସମଣୀ କିଷାନ । ଦାସମଣୀ ଉଦ୍ୟାନ କୃଷିରୁ ବାର୍ଷିକ ୭/୮ ଲକ୍ଷ ଟଙ୍କାର ରୋଜଗାର କରିବା ସହିତ ୧୨ ଟି ପରିବାରକୁ ଦେଇଛନ୍ତି କାମ । ୨୦୧୬ /୧୭ ମସିହାରୁ ନିଜସ୍ୱ ପାଣ୍ଠିରେ ୧୦୦୦ କଦଳୀ ଗଛ ଲଗାଇ ଆରମ୍ଭ ହୋଇଥିବା ତାଙ୍କର କଦଳୀ ଚାଷ ଏବେ ୧୮ ଏକର ଜମିକୁ ସମ୍ପ୍ରସାରିତ ହୋଇଛି । ଏଥିରେ ଲାଗିଛି ମୋଟ ୨୨ ହଜାର କଦଳୀ ଗଛ । ଏସବୁ ଗଛ ହେଉଛି ଜି ୯ ପ୍ରଜାତିର । କ୍ଷେତର ଗୋଟିଏ ପାର୍ଶ୍ୱରେ ଅମଳ ଦେଉଥିବା କଦଳୀ ଗଛ ଧାଡି ଧାଡି ହୋଇ ଠିଆ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱରେ ନୂଆ କରି ଆରମ୍ଭ ହେଉଛି କଦଳୀ ବଗିଚା । କଦଳୀ ଚାଷ ଜମିରେ ଦାସମଣୀଙ୍କ ସହିତ ଅନ୍ୟ ଶ୍ରମିକ ମାନେ ମିଳିମିଶି କାମ କରୁଥିବା ଦେଖିବାକୁ ମିଳୁଛି । ଡାକ ବିଭାଗରେ ଚାକିରୀ କରୁଥିବା ଦାସମଣୀ କହନ୍ତି କୃଷି ହେଉଛି ମୋର ନିଶା । ୨୦୧୪ /୧୫ ମସିହାରେ ୧୫ ଏକର ଜମିରେ ଆମ୍ବ ଚାଷ ସହିତ ସହିତ ପରେ ଆରମ୍ଭ କରିଥିଲି କଦଳୀ ଚାଷ । ପ୍ରଥମ ପର୍ଯ୍ୟାୟରେ ୧୦୦୦ କଦଳୀ ଗଛ ମୋତେ ଦୁଇ ଲକ୍ଷ ଟଙ୍କା ଲାଭ ଦେବାରୁ ଏହାର ଆକର୍ଷଣ ମୋ ପାଇଁ ଅଧିକ ଥିଲା । ଏବେ ବାର୍ଷିକ ୫ ଲକ୍ଷ ଟଙ୍କାର ଲାଭ କେବଳ କଦଳୀ ଚାଷରୁ ମିଳୁଥିବା ଦାସମଣୀ କହିଥିବା ବେଳେ ଚାଷ ଆମକୁ ଖୁସି ଦେଇଥିବା କହିଛନ୍ତି ତାଙ୍କର ପତ୍ନୀ ଅମ୍ବିକା ମାଝୀ ।
ଦେଖନ୍ତୁ ଭିଡିଓ : କୁଚିଣ୍ଡାରେ କର୍ଣ୍ଣାଟକ ଭଳି କଦଳୀ ଚାଷ
ଅତୀତରେ ପାରମ୍ପରିକ ଭାବେ ଜମିରେ ଜଳ ମଡ଼ାଉଥିଲେ ଦାସମଣୀ । ଏବେ ବୁନ୍ଦା ଜଳସେଚନକୁ ଆପଣାଇଛନ୍ତି । ଏହା ତାଙ୍କୁ ଜଳକଷ୍ଟ ଜନିତ ସମସ୍ୟାରୁ ଉପଶମ କରାଇଛି । କେବଳ ଜଳସେଚନ ନୁହଁ ଚାଷ କରିବା ,ଜମିକୁ ସମତଳ କରିବା, ଔଷଧ ସିଞ୍ଚନ କରିବା କାମ ପାଇଁ ସେ ପାରମ୍ପରିକ ପଦ୍ଧତି ବଦଳରେ ଗ୍ରହଣ କରିଛନ୍ତି ଯାନ୍ତ୍ରିକ କୃଷି । କଦଳୀ ଚାଷ ସହିତ ସେ ୧୫ ଏକର ଜମିରେ ଲଗାଇଛନ୍ତି ଦୁଇ ହଜାରରୁ ଅଧିକ ଉନ୍ନତ ପ୍ରଜାତିର ଆମ୍ବ । ଏଥିରୁ ଅଧିକ ଆମ୍ରପାଲ୍ଲୀ ପ୍ରଜାତି ହୋଇଥିବା ବେଳେ ଆଉ କିଛି ରହିଛି ଦୋଶରି । ନିଷ୍ଠାପର ଉଦ୍ୟମ କରି କୃଷିକୁ ପ୍ରେରଣାଦାୟୀ କରିଥିବାରୁ ତାଙ୍କୁ ବିଭିନ୍ନ ସରକାରୀ ଯୋଜନା ସହିତ ଯୋଡାଯାଇଛି ଓ ପୁରସ୍କୃତ କରାଯାଇଛି ବୋଲି କହିଛନ୍ତି ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଅମ୍ବର ଳୁଗୁନ ଓ ସ୍ଥାନୀୟ ବାସିନ୍ଦା ସୌଭାଗ୍ୟ କିଷାନ । ଆଧୁନିକ ଉପାୟରେ ଆମ୍ବ କଦଳୀ ଚାଷ କରି ଭଲ ଆୟ ସହିତ ସମ୍ମାନ ପାଇଛନ୍ତି ଦାସମଣୀ କିଷାନ । ଉଦ୍ୟାନ କୃଷିରୁ ନିଜେ ସଶକ୍ତ ହେବା ସହିତ ଅନ୍ୟ ମାନଙ୍କୁ କାମ ଦେଇ ସୃଷ୍ଟି କରିଛନ୍ତି ଦୃଷ୍ଟାନ୍ତ ।