ନଦୀ ପଠା ଖାଇ ଖାଇ ଏବେ ଲୋକ ଙ୍କ ଘର ପଛ ବାଡ଼ି ନିକଟ ରେ ପହଞ୍ଚିଛି। ଏହି ଭଳି ସ୍ଥିତି ରହିଲେ ଗ୍ରାମ ଯେ ଲୋପ ପାଇବ ଏଥିରେ ସନ୍ଦେହ ନାହିଁ। ପଞ୍ଚାୟତର ଦୁଇ ଗୋଟି ୱାର୍ଡକୁ ନେଇ ମଢ଼ିଆଳି ଗାଁଟି ଗଠନ ହୋଇଥିବା ବେଳେ ଜନସଂଖ୍ୟା ପ୍ରାୟ ଦେଢ଼ ହଜାରରୁ ଅଧିକ ହେବ। ଗ୍ରାମର ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବୈତରଣୀ ସତେ ଯେମିତି ତାଙ୍କ ପାଇଁ ଏବେ ଦୁଃଖର କାରଣ ପାଲଟିଛି। ଗାଁ ମୁଣ୍ଡ ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀ ଠାରୁ ସ୍ମଶାନ ଘାଟ ଯାଏଁ ପ୍ରାୟ 800 ମିଟର ପର୍ଯ୍ୟନ୍ତ ନଦୀ ଏବେ ଗାଁ ଆଡକୁ ମାଡି ଆସିଛି ।
ଉପରମୁଣ୍ଡରେ ଦୁଲଖାପାଟଣାରୁ ବନ୍ଦାଳୋକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସେତୁ ଓ ତଳ ମୁଣ୍ଡରେ ଗୋଳବା ସରକାରୀ ବାଲି ସୈରାତ ଯୋଗୁ ନଦୀ ଦିନକୁ ଦିନ କୁଳ ଲଂଘୁଥିବା କୁହାଯାଉଛି । 2020 ମସିହା ବନ୍ୟା ଠାରୁ ଏବେ ପର୍ଯ୍ୟନ୍ତ ବୈତରଣୀ ପ୍ରାୟ 30 ଫୁଟ ଗାଁ ଆଡକୁ ମାଡି ଆସିଲାଣି । ବୈତରଣୀ ନଦୀ କୂଳେ କୂଳେ ଥିବା ଅନାବାଦୀ ଜମି ସହିତ ବ୍ୟକ୍ତିଗତ ଚାଷ ଉପଯୋଗୀ ଜାଗା ମଧ୍ୟ ଧୀରେ ଧୀରେ ନଦୀଗର୍ଭରେ ଲୀନ ହୋଇଗଲାଣି। ପରିସ୍ଥିତି ଏଭଳି ହୋଇଛି ଯେ ଗାଁର ଦାଣ୍ଡ ତୁଠ, ଜାଗୁଳାଇ ତୁଠ, ଖୁଣ୍ଟିଆସାହି ଓ ମୁସଲମାନ ସାହି ତୁଠକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତି। ବିଗତ ଦିନରେ ଉକ୍ତ ସ୍ଥାନକୁ ସ୍ନାନ ଶୌଚ କରିବାକୁ ଯାଇ ଦୁଇ ଚାରିଜଣ ଗ୍ରାମବାସୀଙ୍କର ନଦୀରେ ଶଲୀଳ ସମାଧି ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ।
ନଦୀ ତଟ ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ଜଳସମ୍ପଦ ବିଭାଗ ନିକଟରେ ଅଭିଯୋଗ କରିଥିବା ବେଳେ ଫଳ କିଛି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀକୂଳ ସୁରକ୍ଷା ଦାୟିତ୍ୱ ଯାଜପୁର ଜଳସମ୍ପଦ ବିଭାଗ ହାତରେ ରହିଥିବାରୁ ଅଧିକାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଭଦ୍ରକ ଜିଲ୍ଲାପାଳ କହିଛନ୍ତି ଯେ ଖୁବ ଶୀଘ୍ର ବିକଳ୍ପ ବ୍ୟବସ୍ଥା ହେବ। ଜଳସମ୍ପଦ ବିଭାଗ କୁ ଏ ନେଇ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ଯଥା ଶୀଘ୍ର ଘଟଣା ର ଅନୁଧ୍ୟାନ କରିବା ପାଇଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।