ସାଇବର ଥାନା ଇନିସପେକ୍ଟର ଚନ୍ଦ୍ରିକା ସ୍ବାଇଁଙ୍କ କହିବା ଅନୁସାରେ ବିକାଶ ବ୍ୟାଙ୍କର କ୍ଲୋଜିଙ୍ଗ ସମୟର ସୁଯୋଗ ନେଇ କିଛି ସାଇବର ଫ୍ରଡ ଗୋଷ୍ଠୀଙ୍କ ଜରିଆରେ ଏଭଳି ଠକେଇ କରିଛି । ବ୍ୟାଙ୍କର କ୍ଲୋଜିଙ୍ଗ ସମୟରେ ସିଷ୍ଟମ୍ ସଟ୍ ଡାଉନ୍ ହେବାକୁ ପ୍ରାୟ ପାଞ୍ଚ ମିନିଟ ସମୟ ଲାଗିଥାଏ । ସେହି ପାଞ୍ଚ ମିନିଟରେ କମ୍ପୁଟରରେ କୌଣସି କାମ କରିବା ପାଇଁ ଆଇ ଡି ପାସଓ୍ବାର୍ଡ ଆଦି ଦରକାର ହୁଏ ନାହିଁ । ଏହାର ସୁଯୋଗ ନେଇ ବିକାଶ ଦେଶର ବିଭିନ୍ନ ବ୍ୟାଙ୍କ ଅଫ ବରୋଦା ଶାଖାରେ ଯେଉଁ ସବୁ ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଜମା ଥାଏ ତାର ବିବରଣୀ ବାହାର କରେ । ଆକାଉଣ୍ଟ ନମ୍ବର ସହ ଚେକର ଫଟୋ ମୋବାଇଲରେ ଉଠାଇ ନିଏ ବିକାଶ ।ଏହି ତଥ୍ୟକୁ ଵିକାଶ ସାଇବର ଠକଙ୍କୁ ଯୋଗାଇଥାଏ । ତା ପରେ ସାଇବର ଠକ ମାନେ ଚେକ୍ ଫଟୋରୁ ଅସଲି ଦେଖାଯାଉଥିବା ଚେକ୍ ବୁକ୍ ପ୍ରିଣ୍ଟ କରନ୍ତି । ଆକାଉଣ୍ଟ ସହ ଯୋଡା ଯାଇଥିବା ମୋଵାଇଲ ନମ୍ବର ହଜି ଯାଇଛି ଦର୍ଶାଇ ଥାନାର ମିଛ କାଗଜପତ୍ର ତିଆରି କରି ସେହି ନମ୍ବରରେ ନୂଆ ସିମ୍ ନିଅନ୍ତି । ପ୍ରିଣ୍ଟ ହୋଇଥିବା ଚେକରେ ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ପାଇଁ ସମ୍ପୃକ୍ତ ବ୍ୟାଙ୍କରେ ଜମା କରନ୍ତି । ଏହି ଭଳି ଉପାୟରେ ବିକାଶ ସହ ମିଶି ସାଇବର ଠକ ମାନେ କଟକ ନୂଆବଜାର ବ୍ୟାଙ୍କ ଅଫ ଵରୋଦା ଶାଖାରୁ ୪୨ଲକ୍ଷ ଟଙ୍କା, ଜଗତସିଂହପୁର ବ୍ୟାଙ୍କ ଅଫ ବରୋଦାରେ ଥିବା ହସ୍ତ ତନ୍ତ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬ଲକ୍ଷ ୧୨ହଜାର ୯ଶହ ଟଙ୍କା ଓ ସୋନପୁର ବ୍ୟାଙ୍କ ଅଫ ବରୋଦା ଶାଖାରେ ସୁବର୍ଣ୍ଣପୁର ମହାଵିଦ୍ୟାଳୟ ଆକାଉଣ୍ଟରୁ ୭୦ଲକ୍ଷ ୪୨ହଜାର ୯ଶହ ଟଙ୍କା ହଡପ କରି ନେଇଛନ୍ତି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।