ଜଗନ୍ନାଥ ସଂସ୍କୃତି ଅନୁସାରେ ବାର ମାସରେ ତେର ପର୍ବ ଭଳି ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ନିକଟରେ ମଧ୍ୟ ସବୁ ପର୍ବପର୍ବାଣି ପାଳିତ ହୋଇଥାଏ । ମହାପ୍ରଭୁଙ୍କ ସବୁ ପର୍ବ ମଧ୍ୟରୁ ରଥଯାତ୍ରା ଶ୍ରେଷ୍ଠ ପର୍ବ ଅଟେ । ଏଣୁ ପ୍ରତିବର୍ଷ ବାରିପଦା ରଥଯାତ୍ରା ଦେଖିବାପାଇଁ କାହିଁ କେତେ ଦୁରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି । ଆସନ୍ତା ଜୁନ ୪ତାରିଖରେ ଦେବସ୍ନାନ ପୁର୍ଣିମା ପଡୁଥିବା ବେଳେ ୨୦ତାରିଖରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ପାଇଁ ମାସଟିଏ ରହିଥିବା ଯୋଗୁଁ ଚଳଚଞ୍ଚଳ ହୋଇ ଉଠିଛି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ପଡିଆ ।
ପବିତ୍ର ଅକ୍ଷୟ ତୃତୀୟା ଠାରୁ ଅନୁକୂଳ ହୋଇଥିବା ରଥନିର୍ମାଣ ଚଳିତ ଥର ବିଳମ୍ବିତ ହେଉଥିବା କଥା ସ୍ୱିକାର କରିଛନ୍ତି ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହାରଣା ମାନେ । ଶ୍ରୀକ୍ଷେତ୍ର ପରି ରଥ ନିର୍ମାଣରେ ଏଠାରେ ପ୍ରତିବର୍ଷ ନୁତନ କାଠ ଲଗାଯାଏ ନାହିଁ । କେବଳ ନଷ୍ଟ ହୋଇଯାଇଥିବା କାଠ ଗୁଡିକୁ ବଦଳ କରାଯାଇ ନୁଆ କାଠ ଦ୍ୱାରା ରଥ ନିର୍ମାଣ କରାଯାଇଥାଏ ଏଠାରେ । ତେବେ ବର୍ତ୍ତମାନ ବଡଭାଇ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ଓ ମା ସୁଭଦ୍ରା ଦେବୀଙ୍କ ଦର୍ପଦଳନ ରଥରେ ଚକ ଲଗା କାର୍ଯ୍ୟ ସମାପନ ହୋଇ ଏବେ ନାୟିକା ଉଠା ଆରମ୍ଭ ହୋଇଛି । ରଥନିର୍ମାଣ ପାଇଁ ଲାଗୁଥିବା କାଠ ପ୍ରଶାସନ ପକ୍ଷରୁ ପହୁଞ୍ଚାଇବାରେ ବିଳମ୍ବ ଯୋଗୁଁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ବିଳମ୍ବ ଘଟିଛି । ୨୪ଜଣ ବାରଛିଆ , ୫ଜଣ ମହାରଣା ,ଜଣେ ବିନ୍ଧାଣି ଓ ଜଣେ ରଥମହାପାତ୍ର ସକାଳ ୫ଟା ଠାରୁ ଦିନ ୧ଟା ଏବଂ ଦିନ ୪ଟା ଠାରୁ ସନ୍ଧ୍ୟା ୬ଟା ଯାଏଁ ରଥନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ବିଳମ୍ବ ହେଲେ ସୁଦ୍ଧା ନିର୍ଧାରିତ ସମୟ ପୁର୍ବରୁ ରଥନିର୍ମାଣ ସମାପନ ହେବ ବୋଲି ରଥ ମହାପାତ୍ର ସୂଚନା ଦେଇଛନ୍ତି ।
ସ୍ୱାଧୀନ ଓଡିଶାରେ ମୟୂରଭଞ୍ଜ ର ମିଶ୍ରଣ ସମୟରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ସମେତ ସମସ୍ତ ମଠ ମନ୍ଦିର ର ଦେଖାରେଖା ଖର୍ଚ୍ଚ ପାଇଁ ୪୦ହଜାର ଏକରରୁ ଉର୍ଦ୍ଧ ଜମି ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଥିପାଇଁ ସେ ସମୟରେ ବାରିପଦା ଠାରେ ଦେବତ୍ତୋର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଫିସର ନିଯୁକ୍ତି କରାଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପଦବୀ କୁ ଉପଜିଲ୍ଲାପାଳ ଙ୍କ ସହ ଜଡିତ କରାଯାଇଥିଲା । ସ୍ଥାୟୀ ଅଫିସର ନରହିବା ଫଳରେ ବର୍ତ୍ତମାନ ବିଭିନ୍ନ ସମୟରେ ମଠ ମନ୍ଦିର ମାନଙ୍କ ରେ ନିତି ନିର୍ଘଣ୍ଟ ଠିକ୍ ସେ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।
ରଥ ନିର୍ମାଣ ପାଇଁ କାଠ ଦରକାର ବୋଲି ବାରମ୍ବାର ଅଭିଯୋଗ ପରେ ଏବେ କିଛି କିଛି ଦିଆଯାଉଛି । ଯାହା ଫଳରେ ରଥନିର୍ମାଣ ବିଳମ୍ବିତ ହେଉଛି ବୋଲି ଅଭିଯୋଗ କରିଛନ୍ତି । ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନେଇ ଆଗାମୀ ୨୩ତାରିଖରେ ଏକ ବୈଠକର ଆୟୋଜନ କରାଯାଇଛି । ଯହା ହେଲେ ମଧ୍ୟ ରଥଯାତ୍ରା ସମୟ ପାଖେଇ ଆସୁଥିବା ଯୋଗୁଁ ସେବାୟତ , ଦେବତ୍ତୋର ବିଭାଗ , ପ୍ରଶାସନ ସମସ୍ତେ ଏକ ହୋଇ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଆହ୍ବାନ କରିଛନ୍ତି ମନ୍ଦିର ସେବାୟତ କାମେଶ୍ୱର ତ୍ରିପାଠୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: