ଖରା ଟିକିଏ ହେଲେ ରାସ୍ତା କଡ଼ରେ ମା’-ପୁଅ ଗେଲ କରାକରି ହୁଅନ୍ତି। କିଏ ପାଣି ଟୋପାଏ ଦେଲେ ମା’ ପିଆଇଦିଏ ଛୁଆକୁ। ତା ତା ପରେ ପୁଣି କାମରେ ଲାଗେ ମା’। ପିଠିର ଝୁଲାରେ ଝୁଲି ଝୁଲି କୁନି ପୁଅ ଦେଖେ ସହର ଯାକର ଛବି। ବାରିପଦା ସହରର ସଫେଇ କର୍ମଚାରୀ ଲକ୍ଷ୍ମୀ ମୂଖୀ । ଦୁଇଟି ଛୁଆର ଜନନୀ ସିଏ। ଗୋଟିଏ ଛୁଆ ପାଠ ପଢୁଛି। ଆଉ ୧୧ମାସ ହେଲେ ଏଇ କୁନି ପୁଅ ତାଙ୍କ ସହ ବୁଲିବୁଲି ଦୁନିଆ ଦେଖୁଛି ।
ମୟୂରଭଞ୍ଜ ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଗ୍ରାମର ଟିକି ମୂଖୀ ଓ ଲକ୍ଷ୍ମୀ ମୂଖୀ । ନିଜର କୌଣସି ସମ୍ପତ୍ତି ନ ଥିବାରୁ କାମ ଖୋଜି ଖୋଜି ୯ ବର୍ଷ ପୂର୍ବେ ବାରିପଦା ଚାଲି ଆସିଥିଲେ । ଏଠାରେ ସ୍ୱାମୀ ଟିକି ମୂଖୀ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ଘର ଚଳାଇବା କଷ୍ଟ ହେବାରୁ ବାଧ୍ୟ ହୋଇ ଲକ୍ଷ୍ମୀ ମଧ୍ୟ ଘରୁ ପାଦ କାଢିଲେ । ୩ ବର୍ଷ ହେବ ବାରିପଦା ପୌରପାଳିକାରେ ସଫେଇ କର୍ମଚାରୀ ଭାବରେ କାମ କରୁଛନ୍ତି । ଏଭଳି ସମୟରେ ଗତବର୍ଷ ତାଙ୍କର ପୁଅଟିଏ ଜନ୍ମ ହୋଇଛି । ହେଲେ ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାରରେ ଚଳିବା କଷ୍ଟ ହେବାରୁ ପୁଣି କାମକୁ ଫେରିଛନ୍ତି ଲକ୍ଷ୍ମୀ । ପୁଅକୁ ଛଅ ମାସ ବେଳଠୁ ସକାଳ ୫ଟାରୁ ପୁଅ କୁ କାନ୍ଧରେ ଝୁଲାଇ ବାହାରି ଆସୁଛନ୍ତି ସହର ସଫା କରିବାକୁ । ମୋ କ୍ଷୀର ଖିଆ ଛୁଆ ମୋ ଦାୟିତ୍ୱ ବୋଲି କହନ୍ତି ଲକ୍ଷ୍ମୀ ।
ନିଜ ୱାର୍ଡରେ ଏଭଳି କାର୍ଯ୍ୟ ଦେଖି ବାରିପଦା ପୌରପରିଷଦର 3 ନମ୍ବର ୱାର୍ଡର କାଉନସିଲର ଭୂରି ଭୂରି ପ୍ରଶଂସା କରିବା ସହ ସହଯୋଗର ହାତ ବଢାଇଛନ୍ତି । ଅନ୍ୟପଟେ ବାରିପଦା ମ୍ୟୁନିସିପାଲିଟିର ସେନିଟାରୀ ଇନ୍ସପେକ୍ଟର ସନ୍ତୋଷ ପ୍ରକାଶ ମହାନ୍ତି ଲକ୍ଷ୍ମୀଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।