ବାତ୍ୟା ୟଶ୍ ଓଡିଶାରେ ତାଣ୍ଡବ ରଚିବ ବୋଲି ବହୁ ପୂର୍ବରୁ ଭାରତୀୟ ପାଣିପାଗ ରାଜ୍ୟ ସରକାରଙ୍କୁ ସୁଚନା ଦେଇଥିଲା । ବାତ୍ୟାର ପ୍ରତିଟି ମୁହୁର୍ତ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ବାତ୍ୟା ପୂର୍ବ ଓ ପରବର୍ତୀ ସହାୟତା ପାଇଁ ଏନଡିଆରଏଫ ସମସ୍ତ ପ୍ରକାରର ସହଯୋଗ କରିଥିଲା । ବାତ୍ୟା ହେବା ପୂର୍ବରୁ ଏନଡିଆରଏଫ ଯବାନମାନେ ପ୍ରଭାବିତ ହେବାକୁ ଥିବା ଅଂଚଳକୁ ଯାଇ ପ୍ରସ୍ତୁତ ରହିଲେ । ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ସଂପୁର୍ଣ୍ଣ ପ୍ରସ୍ତୁତ ଥିବାର ସୁଚନା ଦେଲେ । ବାତ୍ୟା ପ୍ରଭାବିତ ଆଂଶକା ଥିବା ସମସ୍ତ ଜିଲ୍ଲା ପାଇଁ ଅତିରିକ୍ତ ଭାବେ ଜଣେ ଲେଖାଏଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କଲେ । ବାତ୍ୟା ପୂର୍ବ ଓ ପରବର୍ତୀ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଗଣମାଧ୍ୟମ ଜରିଆରେ ଘୋଷଣା କଲେ । ମାତ୍ର ଏହା କେବଳ ପ୍ରଚାର ସର୍ବସ୍ୱ ଥିବାବେଳେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଅଟେ ବୋଲି ଶ୍ରୀ ସାମଲ କହିଛନ୍ତି ।
ବାତ୍ୟା ପୂର୍ବରୁ ପ୍ରଭାବିତ ଅଂଚଳବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବାରମ୍ବାର କହିବା କେବଳ ପ୍ରହସନ / ଡ୍ରାମା ଥିଲା । ଅଳ୍ପ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରି ପ୍ରଭାବିତ ସମଗ୍ର ଅଂଚଳବାସିଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଲେ । ୫୦ ଜଣଙ୍କୁ ସ୍ତାନାନ୍ତରିତ କରାଯାଇ ୩୦୦ ବୋଲି ଉଲ୍ଲେଖ କରାଯାଇଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳୀରେ କୈାଣସି ବ୍ୟବସ୍ଥା କରାଯାଇନଥିଲା । ବାତ୍ୟାଶ୍ରୟସ୍ଥଳୀର ମରାମତି କରାଯାଇନଥିଲା । ପାନୀୟ ଜଳ, ବିଜୁଳି, କିରୋସିନି, ଖାଦ୍ୟ ଆଦିର ବ୍ୟବସ୍ଥା ନଥିଲା । ୧-୨ ପ୍ୟାକେଟ ବିସ୍କୁଟ, ୫୦ ଗ୍ରାମ ଚୁଡା ଦେଇ ରିଲିଫ କାର୍ଯ୍ୟର କେବଳ ଔପଚାରିକତା ପୂରଣ କରାଯାଇଥିଲା । କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା କହି ମିଥ୍ୟା ପ୍ରଚାର କଲେ । ଏହି କାରଣରୁ ବହୁ ପ୍ରଭାବିତ ବାତ୍ୟାଶ୍ରୟକୁ ଯାଇନଥିଲେ ।
ବାତ୍ୟା ପରବର୍ତୀ ମୁକାବିଲା କ୍ଷେତ୍ରରେ ଉପୁଡି ପଡିଥିବା ଗଛ, ହୋର୍ଡିଂ ଇତ୍ୟାଦି ସଫା କରାଯାଇ ଗମନାଗମନ ବ୍ୟବସ୍ଥାକୁ ପୁନଃକ୍ଷମ କରାଗଲା ବୋଲି ଘୋଷଣା କଲେ । ବାତ୍ୟା ଯିବାର ଆଜିକୁ ୯ ଦିନ ବିତି ଯାଇଥିଲେ ସୁଦ୍ଧା ବହୁ ଘରେ ଓ ରାସ୍ତାରେ ଗଛ ପଡି ରହି ଗମନାଗମନ ବ୍ୟାହତ ହୋଇରହିଛି । ଘରଛପର ହରାଇଥିବା ଅସହାୟ ପ୍ରଭାବିତଙ୍କୁ ସାମାନ୍ୟ ପଲିଥିନ ଦିଆଯାଇନାହିଁ । ବର୍ତମାନ ସୁଦ୍ଧା ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରି ନାହିଁ । ଦୁର୍ଭାଗ୍ୟର ବିଷୟ, ପ୍ରଶାସନ ଅଧିକାରୀମାନେ ବର୍ତମାନ ସୁଦ୍ଧା ସମସ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ନାହାନ୍ତି ।
ବାତ୍ୟା ପରବର୍ତୀ ବନ୍ୟା ସ୍ଥିତି ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ପ୍ରମାଣିତ ହୋଇଛି । ଜଳସଂପଦ ଓ ଡ୍ରେନେଜ ବିଭାଗ ସଂପୂର୍ଣ୍ଣ ଅଚଳ ହୋଇଯାଇଛି । ବହୁ ଅଂଚଳରେ ନଦୀ ବନ୍ଧ ଭାଙ୍ଗିଯିବା ଘଟଣା ପଦାକୁ ଆସିଛି । ସ୍ୱିସ୍ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲା ନାହିଁ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ବହୁ ଅଂଚଳ ଜଳମଗ୍ନ ଏବଂ ଅଂଚଳବାସୀ ପାଣି ଘେରରେ ଅଛନ୍ତି ।
ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କୁ କେବଳ ଶୁଖିଲା ଖାଦ୍ୟ ବଂଟନ କରାଯାଉଛି । ତାହା ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ । ଏପରିକି ବହୁ ଅଂଚଳରେ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇନାହିଁ । ରନ୍ଧା ଖାଦ୍ୟ ଆଦୈା ଦିଆଯାଇନାହିଁ । ବାତ୍ୟାଂଚଳର କୈାଣସି ଗୋଟିଏ ଗୋଦାମ ଗୃହରେ ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ମହଜୁଦ୍ ନଥିଲା । ଏପରିକି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଚାଉଳ ମଧ୍ୟ ମହଜୁଦ୍ ନଥିଲା ବୋଲି ଶ୍ରୀ ସାମଲ କ୍ଷୋଭ ପ୍ରକାଶ କରି କହିଛନ୍ତି । ରିଲିଫ ସାମଗ୍ରୀ ବଂଟନରେ ବ୍ୟାପକ ଅନୀୟମିତତା ହୋଇଛି । ଗାଡି ଭଡାର ଆଳ ଦେଖାଇ ପ୍ରଭାବିତ ଅସହାୟମାନଙ୍କୁ କମ୍ ପରିମାଣରେ ରିଲିଫ ସାମଗ୍ରୀ ପ୍ରଦାନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ବିଜୁଳି ବ୍ୟବସ୍ଥା ପୁନସ୍ଥାପିତ କରାଯାଇଥିବା କହି ବିଭ୍ରାନ୍ତ ସୃଷ୍ଟି କରାଯାଉଛି । ଆଜି ମଧ୍ୟ ଏ ସମସ୍ତ ଅଂଚଳ ଅନ୍ଧକାର ଭିତରେ ରହିଛି । ପଶୁ ସଂପଦ ଆଜି ସଂକଟମୟ ପରିସ୍ଥିତିରେ । ଗୃହପାଳିତ ପଶୁ ଖାଦ୍ୟ ଅଭାବର ଶିକାର ହେଉଛନ୍ତି । ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।
ବାତ୍ୟା ଓ ବନ୍ୟା ପରବର୍ତୀ ମୁକାବିଲାରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାସ୍ଥ୍ୟ ସମସ୍ୟା । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପୁନରୁଦ୍ଧାର ହୋଇପାରିନାହିଁ । ଝାଡା, ବାନ୍ତି ବ୍ୟାପିବାର ବହୁ ସମ୍ଭାବନା ରହିଥିବାବେଳେ ପ୍ରଶାସନ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟବାସୀ ସଂକଟ ସମୟ ଦେଇ ଗତି କରୁଥିବାବେଳେ ରାଜ୍ୟ ସରକାର କେବଳ ଔପଚାରିକତା ମନୋଭାବ ପ୍ରଦର୍ଶନ କରୁଛନ୍ତି । ବାସ୍ତବ ସମସ୍ୟାର ସମାଧାନ ଏବଂ ପ୍ରଭାବିତ ଅଂଚଳବାସୀଙ୍କୁ ସେମାନଙ୍କ ମୈାଳିକ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ଓ ବନ୍ୟା ପରିଚାଳନରେ ଅବ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୮.୧୫ ଲକ୍ଷ ଗୃହ ଆବଂଟନ ହୋଇଛି । ବାତ୍ୟାଂଚଳରେ ଥିବା ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯାଉ । ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ବାତ୍ୟା ଓ ବନ୍ୟାଂଚଳରେ କୃଷକଙ୍କ ପାଇଁ ଋଣ ଛାଡ କରାଯାଉ । ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ । ଘରଭଙ୍ଗା କ୍ଷତିପୁରଣ ରାଶି ୧୪ ଦିନ ଭିତରେ ପ୍ରଦାନ କରାଯାଉ । ୨୦୦୮ ଗୃହ କମିଟି ସୁପାରିଶ ଆଧାରରେ ସ୍ୱିସ୍ ଗେଟ୍ ଓ ନାଳ ପୁନରୁଦ୍ଧାର କାର୍ଯ୍ୟ ତଥା ନିର୍ମାଣ କରାଯିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି ।
୨୦୧୯ ଫନୀ, ୨୦୨୦ ଅଂଫାନ ବାତ୍ୟାର କ୍ଷତିପୂରଣ ରାଶି ଆଜି ଯାଏଁ ଲୋକଙ୍କ ପାଖରେ ପହଂଚିନାହିଁ । ବାତ୍ୟା ୟଶ୍ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଅର୍ଥ କେବେ ସୁଦ୍ଧା ପ୍ରଭାବିତ ଲୋକମାନେ ପାଇବେ, ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ସାମଲ ଦାବୀ ଜଣାଇଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।