ଅଧିକ ଦେଖନ୍ତୁ :
ଗଜପତି: ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପରେ ଦେଶର ଜୟ ଜୟକାର କରୁଛି । ସବୁଆଡେ ଭାରତର ଏହି ଐତିହାସିକ ତଥା ସ୍ବଳ୍ପ ବିନିଯୋଗରେ ଉନ୍ନତଜ୍ଞାନ କୌଶଳର ବ୍ୟବହାରକୁ ସାରା ବିଶ୍ୱବାସୀ ଅଭିନନ୍ଦନ ଜଣାଉଛନ୍ତି । ଏହି ସଫଳତାରେ ଇସ୍ରୋର ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସର୍ବତ୍ତମ ଜ୍ଞାନ କୌଶଳକୁ ସମଗ୍ର ମାନବ ଜାତି ନମନ କରୁଛି । ଏହି ବୈଜ୍ଞାନିକ ଟିମ୍ ରେ ଓଡିଶାର ତଥା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମାଟିର ସନ୍ତାନ ଇ. କ୍ରିଷ୍ଣା ଇସ୍ରୋର ସଫଳତାରେ ଭାଗିଦାର ଅଛନ୍ତି । ଏହି ଯୁବ ବୈଜ୍ଞାନିକ ଜଣକ ଅବସରପ୍ରାପ୍ତ ପଶୁ ଚିକିତ୍ସକ ଡାକ୍ତର ଇ.ରାମଲିଙ୍ଗମଙ୍କ ସୁପୁତ୍ର। ଯୁବ ବୈଜ୍ଞାନିକ ଇ.କ୍ରିଷ୍ଣା କେରଳ ରାଜ୍ୟର ତ୍ରିଭେନ୍ଦ୍ରମ୍ ସ୍ଥିତ ଇସ୍ରୋରେ ଏସଏଫ୍ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଚନ୍ଦ୍ରଯାନ-୨ ଏବଂ ୩ ପାଇଁ କାମ କରିଥିବାର ପ୍ରକାଶ କରିଛନ୍ତି । ସେ ଏହି ଦୁଇ ପ୍ରକଳ୍ପରେ ନେଭିଗେଶନ ସେନ୍ସର ଉପରେ କାମ କରିଛନ୍ତି । ସାଟେଲାଇଟ କିଭଳି ନିଜ କକ୍ଷପଥ ରେ ଗତି କରିବ ଏବଂ ଚନ୍ଦ୍ରପୃଷ୍ଠରେ କିଭଳି ସଫଳ ଅଵତରଣ କରିବ ସେହି ଦାୟିତ୍ୱ କ୍ରିଷ୍ଣାଙ୍କ ଟିମ ଉପରେ ରହିଥିଲା ।
ସେ ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢିବା ପରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରି ଆଇଆଇଟି ଖଡଗପୁର ଏମ.ଟେକ୍. କରିଥିଲେ । ୨୦୦୮ମସିହାରେ ଇସ୍ରୋ ବୈଜ୍ଞାନିକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସମଗ୍ର ବିଶ୍ବବାସୀ ଗୋଟିଏ ପଟେ ଭାରତର ଚନ୍ଦ୍ରଯାନର ସଫଳତାକୁ ଭୂୟସୀ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ଗଜପତି ମାଟିର ଏହି ସଫଳ ସନ୍ତାନକୁ ନେଇ ଜିଲ୍ଲାବାସୀ ଗର୍ବ ଅନୁଭବ କରିଛନ୍ତି । ବୈଜ୍ଞାନିକ କ୍ରିଷ୍ଣା ନିଜ ଘରେ ପହଞ୍ଚିବା ପରେ ତାଙ୍କ ସାଙ୍ଗସାଥି ଓ ସହର ବାସିନ୍ଦା ତାଙ୍କୁ ଭେଟିବା ପାଇଁ ଲୋକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପାରଳାଖେମୁଣ୍ଡି ମାଟିର ଜଣେ ଏହି ସଫଳତାର ଭାଗିଦାର ହୋଇ ପାରିଛନ୍ତି ତାହା ସବୁଠାରୁ ବଡ଼କଥା । ଆଗକୁ ଇସ୍ରୋର ସୂର୍ଯ୍ୟାୟନ ପ୍ରକଳ୍ପରେ ପରୋକ୍ଷ ଭାବେ ତାଙ୍କର ଦାୟିତ୍ଵ ରହିବ ତାହା ମଧ୍ୟ ସଫଳ ହେବ ବୋଲି ସେ ଆଶା ରଖିଛନ୍ତି।
ଅଧିକ ଦେଖନ୍ତୁ :
ଅର୍ଗସ ବ୍ୟୁରୋ : ସରିଛି ବାଲିଯାତ୍ରା ହେଲେ ସରିନି କିଣାବିକା । ବାଲିଯାତ୍ରା ଶେଷ ହେବାର ଦୁଇ ଦିନ ପରେ ମଧ୍ୟ ଘରକରଣା ସାମଗ୍ରୀ କିଣିବାକୁ ବଲିଯାତ୍ରା ତଳ ଓ ଉପର ପଡିଆରେ ଲାଗୁଛି ଲୋକଙ୍କ ଭିଡ଼ । ବିଶେଷ କରି ଗୃହିଣୀମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ ବାଲିଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ବର୍ଷକୁ ଥରେ ହେଉଥିବା ବାଲିଯାତ୍ରା ମେଳାରେ ଘରକରଣା ସାମଗ୍ରୀର ବେଶ ଚାହିଦା ରହିଥାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟ ସମୟରେ ମିଳୁନଥିବା ଏହି ଘର କରଣା ସମଗ୍ରୀ କିଣିବା ପାଇଁ ମେଳା ପଡ଼ିଆରେ ଗୃହିଣୀଙ୍କ ଭିଡ଼ ଜମେ । ଆଉ ବାଲିଯାତ୍ରା ସରିବା ପରେ ବି ଭିଡ କମ୍ ହୋଇନି । ଯୁଗ ସିନା ଆଧୁନିକ ହେଲେ ସେ ପାରମ୍ପରିକ ଜିନିଷର ବେଶ ଚାହିଦା । ଯାହା ଏହି ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ ।
ଆଠଗଡ଼ ତିଗିରିଆର ଝାଡୁ ଓ କୁଲା ବାଉଁସିଆ ସେହିପରି ମୁଗୁନି ପଥରରେ ତିଆରି ହୋଇଥିବା ଚକେଇ, ଶୀଳ, ଚନ୍ଦନପେଡି ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ପାଗ ଖରାପ ବା ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି, ହେଲେ ପାଗ ଭଲ ହେଲେ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଅନ୍ୟପଟେ ବାଲିଯାତ୍ର ଶେଷ ହେବା ପରେ ଅଧିକାଂଶ ବ୍ୟବସାୟୀ ଫେରିଯାଇଛନ୍ତି ।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ବିଶ୍ୱକର୍ମା ଯୋଜନାରେ ପାରଂପାରିକ ଓ କୈାଳିକ ବୃତିଧାରୀ ବଢେଇ, କମାର, କୁମ୍ଭକାର, ବଣିଆ, ଭଣ୍ଡାରୀ, ମୂର୍ତିକାର ଆଦି ଅନେକ ପଛୁଆ ବର୍ଗବିଶେଷଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ଜରିଆରେ ସେମାନେ ତାଙ୍କ ପାରଂପାରିକ ଓ କୈାଳିକ ବୃତିକୁ ଅଭିବୃଦ୍ଧି କରି କୁଶଳୀ ଓ ସଂପନ୍ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ତରଫରୁ ପ୍ରଶିକ୍ଷଣ ଦେବା ସହ ଆର୍ଥୀକ ସହାୟତା ଏବଂ କମ୍ ସୁଧରେ ଋଣ ବ୍ୟବସ୍ଥା ପ୍ରାବଧାନ କରାଯାଇଛି । ଏହି ଯୋଜନାରେ ଅଧିକରୁ ଅଧିକ ବୃତିଧାରୀମାନଙ୍କୁ ସଚେତନ କରାଇ ତାଲିକାରେ ଅନ୍ତର୍ଭୁକ୍ତ କରିବା ହେଉଛି ପ୍ରାଥମିକତା । ବିଶ୍ୱକର୍ମା ଯୋଜନାରେ “ପାରଂପାରିକ ଓ କୈାଳିକ ବୃତିଧାରୀ” ସାମିଲ ହୁଅନ୍ତୁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଓବିସି ମୋର୍ଚ୍ଚାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱକର୍ମା ଯୋଜନାରେ ଉପକୃତ ହେବାକୁ ଅଧିକାଂଶ ହିତାଧିକାରୀ ଓବିସି ଜାତିବର୍ଗ ଅନ୍ତର୍ଭୁକ୍ତ ହୋଇଥିବା କାରଣରୁ ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଏକ ଦାୟୀତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରି ଓବିସି ବର୍ଗବିଶେଷଙ୍କୁ ଯୋଜନାର ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ କରିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାର ଚଂଚକତା ପୂର୍ବକ ଉଚ୍ଚ ନ୍ୟାୟାଳୟର ଦ୍ୱାହୀ ଦେଇ ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣକୁ ବନ୍ଦ କରିଦେଇଛନ୍ତି । ‘ସର୍ଭେ ହେଲା ପରେ ସଂରକ୍ଷଣ ଦିଆଯିବ’ ବୋଲି କହି ରାଜ୍ୟ ସରକାର ଅନେକ ଥର ତଥାକଥିତ ସର୍ଭେ କାର୍ଯ୍ୟକୁ ବିଳମ୍ବିତ କରିଛନ୍ତି । ଏପରିକି ‘ରାଜ୍ୟ ଓବିସି କମିଶନ’ ସର୍ଭେ ରିପୋର୍ଟ ଦାଖଲ କରିସାରିବା ପରେ ବି ସାର୍ବଜନୀନ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ବିଶେଷ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ହେବା ସହିତ ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ପଛୁଆ, ଦଳିତ ଓ ଜନଜାତି ବର୍ଗଙ୍କ ସଂଖ୍ୟା ସଂପର୍କରେ ସଠିକ ତଥ୍ୟ ଦେବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ବାରମ୍ବାର କହିଥିଲେ । ମାତ୍ର ଓବିସି ବିରୋଧୀ ବିଜେଡି ସରକାର ଏହାକୁ ଜାଣିଶୁଣି ଅଣଦେଖା କରିଚାଲିଛନ୍ତି । ଏହା ସମଗ୍ର ଓବିସିବର୍ଗଙ୍କ ପ୍ରତି ବିଜେଡି ସରକାରର ବିଶ୍ୱାସଘାତକତା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ତଥା ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ସୁବାଷ ଜେନା, ସୁକାନ୍ତ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଗାପ୍ରସନ୍ନ ନାୟକ, ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ରଶ୍ମୀ ରଂଜନ ମୁଦୁଲି, ସନ୍ତୋଷ ମହାପାତ୍ର, ସୁବୋଧ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।