ଏ ହୋଟେଲ ଆଜିର ନୁହେଁ ....1955 ମସିହାରୁ 2022 ହେଲାଣି । ଏହାରି ଭିତରେ ବିତିଯାଇଛି 67 ବର୍ଷ । ଆଜି ବି ନିଜ ଲୋକ ପ୍ରିୟତା ବଜାୟ ରଖିଛି ବ୍ରହ୍ମପୁରର ଏହି ପିଢା ହୋଟେଲ ।
ଆଜି ବି ବ୍ରହ୍ମପୁର ଆଖପାଖ ସହ ରାଜ୍ୟ ବାହାରୁ ଯିଏ ବି ଏଠାକୁ କୌଣସି ବି କାମରେ ଆସନ୍ତି । ପିଢ଼ା ହୋଟେଲରେ ଥରୁଟେ ଖାଇଦେଇ ଯାଆନ୍ତି । ଝାଟିମାଟି କୁଡିଆ ଭିତରେ ଖାଇବାକୁ ଏବେ ବି ଗ୍ରାହକଙ୍କର ଭିଡ ଜମୁଛି । 67 ବର୍ଷ ପୂର୍ବରୁ ଏହା ଯେମିତି, ଏବେ ବି ସେମିତି । ପିଢ଼ା ଉପରେ ଚକା ପକାଇ ଖଲି ପତ୍ରରେ ଭାତ,ଚାରୁ ସହ ଗୁଣ୍ଡି ମଟନ ଖାଇ ଭିନ୍ନଧରଣର ସ୍ୱାଦର ମଜା ଉଠାନ୍ତି ଲୋକେ।
1955 ମସିହାର କଥା...ଅର୍ଜୁନ ସାହୁ ନାମକ ଜଣେ ବ୍ୟକ୍ତି ଆରମ୍ଭ କରିଥିଲେ ଏହି ପିଢ଼ା ହୋଟେଲ । ପିଢ଼ି ପରେ ପିଢ଼ିଙ୍କ ଦ୍ଵାରା ଚାଲିଛି ହୋଟେଲ । କିନ୍ତୁ ସେହି ସ୍ୱାଦ, ସେହି ଝାଟିମାଟି କୁଡ଼ିଆ ସାଙ୍ଗକୁ ସେହି ପିଢ଼ା ଏବେ ବି ଗ୍ରାହକଙ୍କୁ ମଜା ଦେଉଛି । ଏଠିକାର ଭିନ୍ନ ଧରଣର ଟେଷ୍ଟ ପଚ୍ଛରେ ରହିଥାଏ ଭିନ୍ନଏକ କାରଣ । ଏଠି ରୋଷେଇରେ ଯେଉଁସବୁ ମସଲା ବ୍ୟବହାର ହୁଏ । ସେହି ମସଲାକୁ ହୋଟେଲ ମ୍ୟାନେଜର ନିଜେ ହିଁ ତିଆରି କରିଥାନ୍ତି ।
ଏହାଛଡା ଏଠାରେ କିଛିଜଣ ବ୍ୟକ୍ତି କାମ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ହୋଟେଲର କେଉଁ କର୍ମଚାରୀ ଏଠି 15 ବର୍ଷ ରହିଲେଣି ତ କିଏ 25 ବର୍ଷରୁ ଉର୍ଦ୍ଧ୍ୱ । ରାତି ନ ପାହୁଣୁ ଏଠି ଆରମ୍ଭ ହୋଇଯାଏ ଗୋଟିଏ ପରେ ଗୋଟିଏ କାମ । ମଟନକୁ ଗୁଣ୍ଡି କରି ତରକାରୀ ହେଉ ଅବା ଚାରୁ ପାଗ । ଏଠାକାର ପ୍ରସ୍ତୁତି ପୁରା ନିଆରା । ବଡ଼କଥା ହେଉଛି ଏଠି ବର୍ତ୍ତମାନ ମଧ୍ୟ ଗ୍ୟାସ ବ୍ୟବହାର ହୁଏନି । ସେହି ତସୁ ଏବଂ କାଠରେ ତିଆରି ହୋଇଯାଏ ସୁସ୍ଵାଦ ଖାଦ୍ୟ । ଯାହା ପୁରା ଘର ତିଆରି ଭଳି ଲାଗେ ।
ବ୍ରହ୍ମପୁର ସହରର ସିଟି ହାଇସ୍କୁଲ ରାସ୍ତାରେ ରହିଛି ଏହି ଝାଟିମାଟି ପିଢ଼ା ହୋଟେଲ । ଭଲ ଦରରେ ଭଲ ଖାଇବା ସାଙ୍ଗକୁ ଘର ଭଳି ଖାଇବା ମିଳୁଥିବାରୁ ଏଠାକୁ ବାରମ୍ୱାର ଲୋକେ ଆସିବାକୁ ପସନ୍ଦ କରୁଛନ୍ତି । ଦର୍ଖବନ୍ଧୁ ଏଥର ଆପଣ ବି ବ୍ରହ୍ମପୁର ଆସିଲେ ପିଢା ହୋଟେଲରେ ଖାଇବାକୁ ଭୁଲିବେନି । ସତରେ ଆଜିକା ତାରିଖରେ ସହରର ଛାତି ଉପରେ ଏହି ହୋଟେଲ, ରେଶମ ସହରର ଗୋଟିଏ ଭିନ୍ନ ପରିଚୟ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।