ଅର୍ଗସ ବ୍ୟୁରୋ : ସତରେ ସମୟ ବଡ଼ ବିଚିତ୍ର । ଦିନେ ଘରର ରୋଷେଇ ପରିବାର କଥା ବୁଝୁଥିବା ମହିଳା ଆଜି ସହରର ସଫେଇ କାର୍ଯ୍ୟକୁ କାନ୍ଧରେ ନେଇଛି । ଆରମ୍ଭ ତ ଥିଲା ବେଶ କଷ୍ଟଦାୟକ, କିନ୍ତୁ ସଵୁ ଅନ୍ଧାରର ଗୋଟେ ଆଲୋକ ଥାଏ । ସାମାଜିକ ଟାହିଟାପରାରୁ ବାହାରି ସେ ଆଗକୁ ବଢିଛନ୍ତି, ଆଉ ଶେଷରେ ନିନ୍ଦା ଦେଉଥିବା ଲୋକ ଆଜି ତାଙ୍କୁ ଦେଖି ଲଜ୍ଜିତ । ପଥରବନ୍ଧ ବସ୍ତି ବେହେରା ସାହିର ମନୋରମା ଦାସ ଓ ଝୁନାରାଣୀ ନାୟକ । ଯିଏ, ଭୁବନେଶ୍ଵରକୁ ସ୍ଵଚ୍ଛ ରଖିବା ପାଇଁ ବିଏମସିର ସଫେଇ ଗାଡ଼ି ବା ଆବର୍ଜନା ଗାଡ଼ି ଚଳାଉଛନ୍ତି । ଲକ୍ଷ୍ୟ ସହରର ସଫେଇ କରିବା । ପିଲାଛୁଆର ସଂସାର ବୋଝକୁ ସେମାନେ କେବଳ ସ୍ବାମୀଙ୍କ କାନ୍ଧରେ ଲଦି ଦେଇନାହାନ୍ତି । ନିଜେ ଅଣ୍ଟା ଭିଡ଼ିଛନ୍ତି କିଛି ରୋଜଗାର କରିବାକୁ । ପିଲାଛୁଆ ଓ ପରିବାର କାମ ବୁଝିବା ସହ ସ୍ବାମୀଙ୍କ ଆର୍ଥିକ ସମସ୍ୟାକୁ କମ୍ କରିବାକୁ ସେମାନେ ପଦାକୁ ଗୋଡ଼ କାଢ଼ିଛନ୍ତି । ସେମାନଙ୍କ ହାତରେ ଏବେ ସହରର ଆବର୍ଜନା ବୋହୁଥିବା ଗାଡ଼ିର ଷ୍ଟିୟରିଂ । ସେମାନଙ୍କ ଭଳି ଅନ୍ୟ ୫ ଜଣ ମହିଳା ବି ଏବେ ରାଜଧାନୀରେ ଆବର୍ଜନାବୁହା ଗାଡ଼ି ଚଳାଇ ସ୍ବାବଲମ୍ବୀ ହୋଇପାରିଛନ୍ତି ।
କେବେ ଗାଡ଼ି ଚଳାଉଛନ୍ତି ତାହା ନୁହେଁ, ଅଳିଆ ପକାଇବା ସମୟରେ କେମିତି ଓଦା ଶୁଖିଲା ଅଳିଆକୁ ଅଲଗା ଅଲଗା କରି ପକାଇବେ ତାହା ମଧ୍ୟ ବୁଝାଉଛନ୍ତି । ଅନ୍ୟପଟେ ଏହି ଅଳିଆ ଆବର୍ଜ୍ଜନା ସଫା କରିବା ସାଧାରଣ ଝିଅଙ୍କ ପକ୍ଷେ ସମ୍ଭବ ପର ହେଉନଥିବା ବେଳେ ଏହି ୨ ମହିଳା ଅନେକ ଟାହି ଟାପରାକୁ ସହି ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଚଳାଉଛନ୍ତି ଏହି ସଫେଇ ଗାଡ଼ି । ସେମାନେ ସକାଳ ୬ ଟାରୁ କାମ ଆରମ୍ଭ ହେଉଥିବା ବେଳେ ଦିନ ୨ଟା ରେ ସରେ କାମ । ଏବଂ ମାସକୁ ରୋଜଗାର କରୁଛନ୍ତି ୧୦ହଜାର ରୁ ଅଧିକ ଟଙ୍କା । ପରିବାର ପ୍ରତିପୋଷଣ କରି ସ୍ଵାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।