ଭୁବନେଶ୍ୱର: ଥମୁନି ବର୍ଷାର ପ୍ରକୋପ । ଗୋଟେ ନ ସୁରୁଣୁ ପୁଣି ମାଡ଼ି ଆସିଲାଣି ଆଉ ଏକ ଝଡ଼ । ପୁଣି ମାଡ଼ି ଆସୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଚୀନ୍ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି । ଯାହାର ନାଁ ଅଛି ‘ପାବୁକ’ ରଖାଯାଇଛି ।
ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା ୮ ତାରିଖ ସୁଦ୍ଧା ଦୁର୍ବଳ ହୋଇ ମିଆଁମାର ଆଡ଼େ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ‘ପାବୁକ’ର ପ୍ରଭାବ ଓଡ଼ିଶା ଉପରେ କଣ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ତେବେ ଆଗୁଆ ସତର୍କତା ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଟି ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି । ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।
ଏହି ଜିଲ୍ଲା ଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା। ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଅଣ୍ଡାମାନଠାରୁ ୧୫ଶହ କିମି ଦୂରରେ ରହିଛି । ଏହା ୫ ସୁଦ୍ଧା ଦିଗ ବଦଳାଇ ଆଣ୍ଡାମାନ ସାଗର ଅଭିମୁଖେ ଗତିକରିବ।
