ଚିକ୍ ଚିକ୍ ରାସ୍ତା, ଫିନ୍ ଫିନ୍ ଗାଡିଘୋଡା ରାଜଧାନୀ ଛାତି ଉପରେ ଗଡିଯାଉଛି। ନିଜକୁ ଭୁବନେଶ୍ୱରିଆ ବୋଲି କହିଲା ବେଳକୁ ଛାତିଟା କୁଣ୍ଢେମୋଟ ହୋଇଯାଉଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଏ ମାଟି କେତେ କାହାର ପେଟ ପାଟଣା କଥା ବୁଝୁଛି। ଜନପଥର୍ ଜୀଅନ୍ତା ଘୁଗୁନି, ରୂପାଲି ଛକର ଲିଙ୍ଗରାଜ ଲସି, ଆଚାର୍ଯ୍ୟ ବିହାରର ତନ୍ଦୁର୍ ଚା ବା କଳ୍ପନା ଛକରେ 20 ଟଙ୍କାର ପେଟପୁର ପଖାଳ। ଖାଉଛି ଆଉ ଖୁଆଉଛି ଆମ ଭୁବନେଶ୍ୱର।
ସଞ୍ଜ ହେଲେ ଝଲସୁଛି। ଘୋ ଘୋର ଏହି ସହର ଭିତରେ ଅବସର ବିନୋଦନ ପାଇଁ ପାର୍କରେ ଭିଡ଼ ଜମୁଛି। ନାଟକ ଦେଖିବାକୁ ହାତଠାରି ଡାକୁଛି ଭଞ୍ଜକଳା ଓ ରବୀନ୍ଦ୍ର ମଣ୍ଡପ । ନିରୋଳାରେ ଜୀବନକୁ ତର୍ଜମା କରିବାକୁ ବିନ୍ଦୁସାଗର ଯଥେଷ୍ଟ। ତା କୂଳରୁ ଲିଙ୍ଗରାଜଙ୍କ ବାନା ଦିଶେ। ଝାପସା ଆଲୁଅରେ କୂଳରେ ବସିଥିବା ମଣିଷ ନିଜଳୁ ଦେଖି, ହସେ ଆଉ କାନ୍ଦେ। ଏ ମାଟି ସବୁ ଦେଖିଦେଖି ବଡ଼ ହେଉଛି। କଳିଙ୍ଗ ଷ୍ଟାଡିୟମରେ ଦୁତିଙ୍କ ଦଉଡା ଦେଖିଚି। ଗୁଆଝରରେ ସୁର ଭାଇଙ୍କ ଗାଧୁଆ। ପାପ ନାସିନୀ ଘାଟରେ ବଟା ଭାଙ୍ଗର ବାସ୍ନାରେ ମତୁଆଲା ବି ହୋଇଛି ସିଏ। ତା ବିଷୟରେ ବେସି କହିଲେ ବହି ହେଇଯିବ। କେବଳ ଏତିକି କହିଲେ, ଭଲ ଲାଗିବ।
ଆହୁରି ଅଧିକ ଓଡ଼ିଶା ଖବର ପଢ଼ନ୍ତୁ...