ଅର୍ଗସ ବ୍ୟୁରୋ : ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ଐତିହ୍ୟ ସହ ଜଡିତ କେଦାର ଗୌରୀ ମନ୍ଦିର। ଏହା ପୁରାତନ ସଂସ୍କୃତି ସହ ପୁରାତନ ଇତିହାସର ମୁକସାକ୍ଷୀ । ଲିଙ୍ଗରାଜ ମହାପ୍ରଭୁଙ୍କ ଶଶୁର ଘର କହିଲେ କେଦାର ଗୌରୀ ମନ୍ଦିରକୁ ବୁଝାଏ । ଏହି ମନ୍ଦିର ପରିସରରେ ଥିବା 4ଟି କୁଣ୍ଡର ମହିମା ଅନନ୍ୟ। ଏଠାରେ ସ୍ନାନ କରି ଶିବ ଆରାଧନା କଲେ କୋଟି ପୂଣ୍ୟ ମିଳିଥାଏ । ପ୍ରଶାସନିକ ଅବହେଳା ଯୋଗୁଁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ୨୦୧୯ ମସିହାରୁ ଏହାର ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ବିଏମସି ମଧ୍ୟରେ କାମକୁ ନେଇ ଟଣା ଓଟରା ଲାଗିଥିଲେ ମଧ୍ୟ ସ୍ଥିତି 'ଯଥା ପୂର୍ବଂ ତଥା ପର' ଅବସ୍ଥାରେ ପଡିରହିଛି ।
ବାରମ୍ବାର ଟେଣ୍ଡର ପ୍ରକ୍ରିୟା ସହିତ ବ୍ୟୟ ଅଟକଳ ବୃଦ୍ଧି ପାଉଥିବା ବେଳେ କାମରେ କିନ୍ତୁ ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଏନେଇ ସ୍ଥାୟୀ ଲୋକ ଅଦାଲତକୁ ମାମଲା ଯାଇଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ଥିତି ଯାଞ୍ଚ ହେଉନାହିଁ । ଆଜି ଲୋକ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସିଷ୍ଟାଣ୍ଟ ଏଣ୍ଡାମେଣ୍ଟ କମିଶନର, ଏକ୍ଜ୍ୟୁକୁଟିଭ୍ ଅଫିସର ଲିଙ୍ଗରାଜ ମନ୍ଦିର, ତହସିଲଦାର, ଏମଡି. ଓ୍ଵାଟକୋ ଘଟଣା ସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିବାର ଥିଲେ ମଧ୍ୟ ଘଟଣା ସ୍ଥଳରେ କାହାର ଦେଖା ମିଳିନାହିଁ । ଅନ୍ୟପଟେ ଆମ ହାତରେ କିଛି ନାହିଁ, ଯାହା କରିବ ପୂର୍ତ୍ତ ବିଭାଗ କରିବ ବୋଲି ବିଏମସି ଅଧିକାରୀ କହିଛନ୍ତି ।