ତତକାଳୀନ ସୁରକ୍ଷାକର୍ମୀ ଗଙ୍ଗାଧର ପ୍ରଧାନ କହିଛନ୍ତି, ‘ ମୁଁ ଦେଖିଛି ଡିଏଫଓ ସାର ସୌମ୍ୟ ସାର୍ ଙ୍କ ଘରକୁ ରାତି 12.30 ରୁ 1 ଭିତରେ ଯାଇଛନ୍ତି । ମୋର ନାଇଟ୍ ଡ୍ୟୁଟି ପଡିଥିଲା । ଡିଏଫଓ ପଛପଟ ଗେଟ୍ ଦେଇ ଏସିଏଫ ସୌମ୍ୟ ସାର୍ ଙ୍କ ରୁମ୍ କୁ ଯାଇଥିଲେ । ମୁଁ ତାଙ୍କୁ ଦେଖିଥିବା ଜାଣିବା ପରେ ମତେ ଚାକିରିରୁ କାଢି ଦେଇଛନ୍ତି ଡିଏଫଓ । ଅଫିସରେ କାର୍ଯ୍ୟରତ ଥିବା ସମସ୍ତ ସରକାରୀ କର୍ମଚାରୀ ଏ ବିଷୟରେ ଜାଣିଛନ୍ତି । କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି ।‘ ଡିଏଫଓଙ୍କ ଡରରେ କାହା ପାଟିରୁ କିଛି ବାହାରୁନି ବୋଲି ଅର୍ଗସକୁ ପ୍ରତିକ୍ରିୟା ଦେଇଛନ୍ତି ଗଙ୍ଗାଧର ପ୍ରଧାନ ।
ଅନ୍ୟପଟେ ଗଣମାଧ୍ୟମ ସାମନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଡିଏଫଓ । ପାଟିରେ ଗୋଟିଏ ଶବ୍ଦ । ଆପଣ ଏଠୁ ଯାଆନ୍ତୁ । ମୁଁ କାମରେ ଅଛି ମତେ ଡିସଟର୍ବ କରନ୍ତୁନି । ଗଣମାଧ୍ୟମ ସାମନାରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ।
ଅନ୍ୟପଟେ ଏହାକୁ ନେଇ ଚୋର ମୁହଁ ଟାଣ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏହାସହ ସେ ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି କଟକ ବଡ଼ ଡାକ୍ତରଖାନାର ଡାକ୍ତର ବିଦ୍ୟାଙ୍କ ଭିଣୋଇ। ତେଣୁ ଭିଣୋଇଙ୍କୁ ଲଗାଇ ସୌମ୍ୟଙ୍କ ପୋଷ୍ଟମର୍ଟ ରିପୋର୍ଟ ଏପଟ ସେପଟ କରାଯାଇଛି ।
2 ମାସ ହେଲାଣି ତଦନ୍ତ ଚାଲିଛି । ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ବି ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରିନି । ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା, ନା ଦୁର୍ଘଟଣା ଜନିତ ତାହା ବିଷୟରେ କିଛି ମଧ୍ୟ ଖୁଲାସା ହୋଇପାରିନାହିଁ ।