23 ବର୍ଷ ହେଲା ସ୍ଥିର ଭାବେ ଶାସନ ଗାଦିରେ ବସିଥିବା ବିଜେଡି ସରକାର ରାଜ୍ୟରେ ଦେଇପାରୁନାହାନ୍ତି ନିଯୁକ୍ତି । ପେଟପାଟଣା ପାଇଁ ବାହାର ରାଜ୍ୟରେ ଯାଇ ଖଟୁଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ। କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଅଛନ୍ତି 5 ଲକ୍ଷ ଦାଦନ ଶ୍ରମିକ। ସମସ୍ତଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ସ୍ବାସ୍ଥ୍ୟ ଚିନ୍ତା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ଦେଉଥିବା ବିଜେଡି ସରକାର ବହୁ ପ୍ରଚାର କରୁଛନ୍ତି। କିନ୍ତୁ ପ୍ରବାସୀ କହୁଛନ୍ତି ସତ କଥା। ବାହାର ରାଜ୍ୟରେ କାମ କରୁନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ପ୍ରଶ୍ନ କରିଛନ୍ତି କାହିଁକି ଓଡ଼ିଶା ସରକାର ଲାଗୁ କରୁନାହାନ୍ତି ଆୟୁଷ୍ମାନ ଭାରତ ଯୋଜନା।
ରାଜ୍ୟ ବାହାରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଓଡ଼ିଆ । ଗରିବ ପ୍ରବାସୀଙ୍କ ପୁଳା ପୁଳା ଅଭିଯୋଗ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ପ୍ରଶ୍ନ କରିଛି କାହା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ? କେନ୍ଦ୍ରର ବାରମ୍ବାର ଅନୁରୋଧ ସତ୍ତ୍ବେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ବିଜେଡି ସରକାର। ଫଳରେ ମାସକୁ ୫୦ କୋଟି ହିସାବରେ ବର୍ଷକୁ ୬୦୦ କୋଟି ହରାଉଛି ରାଜ୍ୟ।
ଅତ୍ୟନ୍ତ ଦୁର୍ଭାଗ୍ୟର କଥା 23 ବର୍ଷ ହେଲା ଜନକଲ୍ୟାଣର ନାରା ଦେଉଥିବା ଓଡ଼ିଶାର ବିଜେଡି ସରକାର ପାଇଁ ରାଜନୈତିକ ସ୍ବାର୍ଥ ଆଗ ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ବାସ୍ଥ୍ୟ ପଛ।
ଆହୁରି ପଢନ୍ତୁ ଓଡିଶା ଖବର...