କେତେ ବାତ୍ୟା, ବନ୍ୟାର ଏଇ ଏକ ମୂକସାକ୍ଷୀ । ଆଉ ଏଇ ବରଗଛ ଏବେ ସାଜିଛି ଦୋକନ୍ଦା ଗାଁର ଖରାଦିନିଆ ଦୁଃଖର ସାଥି । ଅସହ୍ୟ ଗୁଳୁଗୁଳି,ତା ସାଙ୍ଗକୁ ବିଜୁଳି ବାଲାଙ୍କ ଅଘୋଷିତ ପାୱାର୍ କଟ ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇଚାଲିଛି । ଆଉ ଗାଁ ମୁଣ୍ଡ ଏଇ ବୁଢା ବରଗଛ ତଳେ ବସିଗଲେ ଜୀବନ ବଞ୍ଚିବା ପାଇଁ ଟିକିଏ ରାହା ମିଳିଯାଉଛି । ଗାଉଁଲି ଲୋକ । ହାତରେ ଗାମୁଛା ଖଣ୍ଡିଏ ଧରି ହଲେଇ ହଲେଇ ଦେଲେ ଟିକିଏ ଗରମରୁ ଆହା ମିଳେ, ଏକଥା ଏମାନଙ୍କୁ ଭଲଭାବରେ ଜଣା । ହେଲେ ଏ ବରଗଛ ତଳେ ଟିକିଏ ବସିଗଲେ ଭାରି ଆନନ୍ଦ ଲାଗେ ବୋଲି କହିଛନ୍ତି ଗ୍ରାମବାସୀ ।
ଏଇ ବରଗଛ ତଳେ ଦୈନିକ ଏକ ସମୟରେ 50 ରୁ 60 ଲୋକଙ୍କୁ ଏକାଠି ହେବାର ଦେଖିବାକୁ ମିଳୁଛି । ଖାଲି ଦୋକନ୍ଦା କାହିଁକି ଯେଉଁଠି ବି ଏମିତି ପରିବେଶ ବା ବରଗଛ ଟିଏ ମିଳେ ସେଠି ଏମିତି ଏକ ଚିତ୍ର ଦେଖିବାକୁ ମିଳିଥାଏ । ଟିକେ ମନଖୋଲା ପବନର ଶାନ୍ତି ସାଙ୍ଗକୁ ନାନା ପ୍ରକାର ଆଲୋଚନା,ଭାଇଚାରା ର ମଧ୍ୟ ଏକ ମାଧ୍ୟମ ସାଜିଥାଏ ଏଇ ବରଗଛ ।
ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।ସେପଟେ ଅନେକ ରୋଗ ପାଇଁ ବରଗଛର କ୍ଷୀର ଠାରୁ ଆରମ୍ଭ କରି ଓହଳ ପର୍ଯ୍ୟନ୍ତ ଉପକାରୀ ହୋଇଥାଏ । ଆଉ ବରଗଛ ଟିଏ ଅନ୍ୟ ସମସ୍ତ ଠାରୁ ବହୁତ ଅଧିକା ଅମ୍ଳଜାନ ମଧ୍ୟ ଯୋଗାଇଥାଏ। ତେଣୁ ଆଉ ଭାବୁଛନ୍ତି କଅଣ ଗାଁ ମୁଣ୍ଡରେ ହଉ ବା ସହରର କେଉଁ ଖାଲି ସ୍ଥାନ ଏବେ ବି ସମୟ ଅଛି ଗଛ ଲଗାନ୍ତୁ । ଯାହା ଆପଣଙ୍କ ପର ପୀଢ଼ି ପାଇଁ ଅମୂଲ୍ୟ ବରଦାନ ସଦୃଶ ହେବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର