ବିଜେଡିରେ ଏବେ କେମିତି ଗୋଷ୍ଠୀ କନ୍ଦଳ ଚାଲିଛି ତାହା କାହାକୁ ବି ଅଛପା ନାହିଁ । କାରଣ ସଜସଜ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଜୟପୁର ବିଜେଡି ନେତା ହିମାଂଶୁ ମହାପାତ୍ର ମଧ୍ୟ ଏବେ ପଦ୍ମ ଶିବିରରେ । କୁହାଯାଉଛି କି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁଗତ ତଥା ପୂର୍ବତନ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ସହ ମତଭେଦକୁ ନେଇ ଦଳ ଛାଡିଛନ୍ତି ରଘୁରାମ । ରଘୁରାମଙ୍କୁ ଶାନ୍ତ କରିବା ଲାଗି ଇଶ୍ୱରଙ୍କ ସ୍ଥାନରେ ଝିନ୍ନ ହିକ୍କାଙ୍କୁ ସଭାପତି କରିଥିଲା ଦଳ । ହେଲେ ଝିନ୍ନ ଏବେ ଏକ ଘରିକିଆ ଭଳି । ସବୁ ବୁଝୁଛନ୍ତି ଇଶ୍ୱର ପାଣିଗ୍ରାହୀ । ହେଲେ ଇଶ୍ଵର ଓ ରବିଙ୍କ ଭିତରେ ତୁ ତୁ ମେଁ ମେଁ ଚାଲିଛି । ତେଣୁ ନିର୍ବାଚନ ବୈତରଣୀରେ ଦଳ କୁଆଡେ ଭାସିଯିବ ବୋଲି ଚର୍ଚ୍ଚା ଜୋର ।
ଇଏ ତ ଥିଲା ଟ୍ରେଲର । ହେଲେ ଫିକଚର ଦେଖିଲେ ମୁଣ୍ଡ ଝାଏଁ ଝାଏଁ କରିଦେବ । କାରଣ ରାୟଗଡାରେ ଏନ ଭାସ୍କର ରାଓ ଓ ସଭାପତି ସୁଧୀର ଦାସଙ୍କର ଛତିଶ କାଁ ଆଙ୍ଖଡା । ଭାସ୍କର ବି ନିର୍ବିବାଦୀୟ ନୁହେଁ । ମାଓବାଦୀଙ୍କ ସହ ମିଶି ଟ୍ରକ୍ ମାଲିକଙ୍କଠୁ କୋଟି କୋଟି ଚାନ୍ଦା ନେଇଥିବା ପରି ସଙ୍ଗୀନ ମାମଲାରେ ସେ ଛନ୍ଦି ହୋଇଥିଲେ । ତେଣୁ ଦଳର କୌଣସି ବି କାର୍ଯ୍ୟକ୍ରମରେ ସୁଧୀନ ଓ ଭାସ୍କର ଏକାଠି ବସୁ ନାହାନ୍ତି । ତେଣୁ କନ୍ଦଳ ଏବେ ଜଳଜଳ ।
କଥାରେ ଅଛି ଦ୍ଵିତୀୟ ଶ୍ଚ କଳି ତୃତୀୟ ଶ୍ଚ ଲାଭ । ଯାହାର ଉଦାହରଣ ହେଉଛି ୨୦୧୯ ନିର୍ବାଚନ । ରାୟଗଡ଼ା ଆସନରେ ବାଜି ମାରିଥିଲେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି । ଗୁଣୁପୁର ବ୍ଲକ ଓ ପୌରପାଳିକାରେ ବି ସ୍ୱାଧୀନ ପ୍ରାର୍ଥୀଙ୍କର ବାଜିମାତ ହୋଇଛି । ତେଣେ ନବରଙ୍ଗପୁରରେ ସାସଂଦ ରମେଶ ମାଝୀ ଓ କଂଗ୍ରେସରୁ ଆସିଥିବା ପ୍ରଦୀପ ମାଝୀଙ୍କ ମଧ୍ୟରେ କଳି ବଢିବାରେ ଲାଗିଛି । ଦଳର କଥା ଏବେ ବାଟରେ ଗଡି ହାଟରେ ପଡିଲାଣି କିନ୍ତୁ ନେତାଏ କହୁଛନ୍ତି ଆମେ ଖୁସି । ହେଲେ ସେମାନେ କେତେ ଖୁସି ଆଉ ମାତ୍ର ୬ ମାସରେ ଜଣାପଡିଯିବ । କଥାରେ ଅଛି ଗାଲୁଆଙ୍କ ବାରବାଟୀ ଚାଷ । ଠିକ୍ ସେମିତି ସବୁ ଫାଳପାଳ ହେଲାଣି ଦଳ କହୁଛି ଆମେ ପୂରା ଗୋଟା ।