ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଦାବିଦାର ଅନେକ ଥିଲେ। ଯେଉଁମାନଙ୍କ ନାମ ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିଲା। ଦାମୋଦର ରାଉତଙ୍କ କନ୍ୟା ପ୍ରିତିନନ୍ଦା ରାଉତରାୟ, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତି ସାମନ୍ତ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କନ୍ୟା ତନୟା ପଟ୍ଟନାୟକଙ୍କ ନାମ ମଧ୍ୟ ଚର୍ଚ୍ଚା ହେଲା। କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟଣାଇ ଶେଷରେ ସୁପ୍ରିମୋ ସୁଲୋଚନାଙ୍କ ନାମ ଘୋଷଣା କରିଛନ୍ତି।
ଗତକାଲି ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ କଂଗ୍ରେସ ଘୋଷଣା କରିଥିବା ବେଳେ ବିଜେପି ଏ ଯାଏଁ କାହାରି ନାଁ ଘୋଷଣା କରିନି। ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିବା ସୁଲେଚନା ପ୍ରଥମେ କଂଗ୍ରେସ ରାଜନୀତିରେ ପାଦ ଦେଇଥିଲେ। ପରେ ପରେ ବିଜେଡିରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ସମ୍ଭାଳିଲେ। ଶେଷରେ ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ ତାଙ୍କୁ ଭିନ୍ନକ୍ଷମ କମିଶନର ଭାବେ ଅବସ୍ଥାପିତ କରାଗଲା।
ଆଉ ଶେଷରେ ମେୟର ପଦବୀ ପାଇଁ ତାଙ୍କୁ ସୁଯୋଗ ମିଳିଲା। ଏ ନେଇ ସୁଲୋଚନାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଆଜି ମୋ ପରିବାର ତରଫରୁ ଅଙ୍ଗଦାନ କରିବାକୁ ଆସିଥିବା ବେଳେ ଖବର ପାଇଥିଲି। ହଠାତ୍ ମୋ ନାଁ ଶୁଣି ଖୁସି ଲାଗିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁ ଦାୟିତ୍ବ ଦେଇଥିବାରୁ ସମସ୍ତଙ୍କ ସହଯୋଗ ରହିଲେ ଭୁବନେଶ୍ବରର ବିକାଶ କରିବି। ନିଶ୍ଚିତ ଭାବେ ଏହା ମୋ ପାଇଁ ଗୋଟିଏ ଚ୍ୟାଲେଞ୍ଜ। ଏଠାରେ ଟିମ୍ ଓ୍ବାର୍କର କଥା ଉଠୁଛି। ମୁଁ ୬୭ କର୍ପାରେଟରଙ୍କୁ ନେଇ କାମ କରିବି। ଆମେ ଦଳ ଶୃଙ୍ଖଳିତ ଦଳ। ଆମେ ଲୋକଙ୍କ ସହ ଅଛୁ। ମୋର ଅଭିଜ୍ଞତା ନାହିଁ। ଏଣୁ ଏଭଳି କାର୍ଯ୍ୟ ପାଇଁ ରାଜଧାନର ବଧାୟକମାନେ ମତେ ସହଯୋଗ କରିବେ ବୋଲି ଆଶା। ’