କହୁ କହୁ ସତ କହିଦେଲେ ବିଜେଡି ନେତା । ପଦଯାତ୍ରା ପ୍ରସ୍ତୁତି ବୈଠକ ନୁହେଁ ବରଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବାକୁ ବରମୁଣ୍ଡା ପଡିଆରେ ସମାବେଶର ଆୟୋଜନ କରିଛି ସବୁଜ ବାହିନୀ । ଦଳର ସଭାପତି ବୈଠକରେ ଏକାଠି ହୋଇଥିବା 5 ହଜାର କର୍ମୀଙ୍କୁ ପଦଯାତ୍ରା ସଫଳ କରାଇବାକୁ ପରାମର୍ଶ ଦେଇଥିଲେ । ଏହା ସହ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବା ଲାଗି ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଅମିତଶାହାଙ୍କ ଓଡିଶା ଗସ୍ତ ପରେ ପରେ ସୁନୀଲ ଵଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ ଦାୟିତ୍ୱ ଦେବା ଓ କେନ୍ଦ୍ରମନ୍ତ୍ରୀ ମାନଙ୍କର ଘନ ଘନ ଗସ୍ତ ଭିତରେ ଜେପି ନଡ୍ଡାଙ୍କ ଗସ୍ତ ବିଜେଡିକୁ ଚିନ୍ତାରେ ପକାଇଛି ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଯାହାର ଝଲକ ବିଜେଡି ଶିବିରରୁ ସାମ୍ନାକୁ ଆସିଛି।
ବରମୁଣ୍ଡା ପଡିଆରେ ଅନୁଷ୍ଠିତ ବିଜେଡିର ଏହି ସମାବେଶର ଫୋକସରେ ଥିଲା ଦଳରେ 5-T ଓ 5-G । ଅରୁଣ ସାହୁ କହିଥିଲେ କେବଳ ସରକାର ନୁହେଁ ଦଳରେ ବି ଚାଲିଛି 5-T । ଆଉ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଦଳରେ ଟ୍ରାନ୍ସଫମେସନ ଚାଲିଛି । ସମସ୍ତଙ୍କୁ ଏକାଠି ରଖିବାକୁ ଏହି ବୈଠକ । ସେହିପରି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ବିଜେଡ଼ିରେ ଏବେ 5-G ଜେନେରେସନର ଯୁଗ ଚାଲିଛି । ଅର୍ଥାତ ବରିଷ୍ଠ ନୁହେଁ ଯୁବକଙ୍କ ଯୁଗ ।
ଅନ୍ୟପଟେ ବୈଠକରେ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବର୍ଷିଥିବା ବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଓଡ଼ିଶା ରେ ନା କେହି ଫୁଟିବ ନା କେହି ଉଠିବ । କେବଳ ବାଜିବ ତ ଶଙ୍ଖ ବାଜିବ । ଚର୍ଚ୍ଚା ହେଉଛି ମିଡ଼ିଆ ସ୍ପେସ୍ ପାଇଁ ବିଜେଡି ବୈଠକର ଆୟୋଜନ କରିଥିଲା । ତେବେ ବୈଠକର ପ୍ରଥମ ଦିନରେ ଯୁବ,ଛାତ୍ର ଓ ମହିଳା କର୍ମକର୍ତ୍ତାମାନେ ଏକାଠି ହୋଇଥିବାବେଳେ ଶୁକ୍ରବାର ସମସ୍ତ ନିର୍ବାଚିତ ପ୍ରତିନିଧି ଏକାଠି ହେବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।