ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଜେଡି ନେତାମାନେ ଏବେ ସେହି ପରିବାରମାନଙ୍କୁ ଜନସମ୍ପର୍କ ଅଭିଯାନ ସମୟରେ କ’ଣ ଉତର ରଖିବେ? ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୨ସୁଦ୍ଧା ଓଡ଼ିଶାରେ କେହି କଚ୍ଚା ଘରେ ରହିବେ ନାହିଁ, କୁଆଡେ ଗଲା ସେହି ପ୍ରତିଶ୍ରୁତି । ସେହିପରି ୨୦୧୪ରେ କହିଥିଲେ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି, କୁଆଡେ ଗଲା ସେହି ପ୍ରତିଶ୍ରୁତି । ୨୦୧୪ରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରାଇଦେବେ ବୋଲି କହିଥିଲେ, କୁଆଡେ ଗଲା ସେହି ୩୦୦କୋଟି ଟଙ୍କାର କର୍ପସ ଫଣ୍ଡ? ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଠିକା ନିଯୁକ୍ତି ହଟିଗଲା ବୋଲି, କୁଆଡେ ଗଲା ସେହି ପ୍ରତିଶ୍ରୁତି? ବିଜୁ ଜନତା ଦଳ ସରକାର କେବଳ ପ୍ରତାରଣା ଦେଇ ଜାଣିଛି । କାଳିଆ ଯୋଜନାରେ ବର୍ଷକୁ ଚାଷୀକୁ ୧୦ହଜାର ଟଙ୍କା ଦେବା କହି ଦେଉଛନ୍ତି ୪ହଜାର ଟଙ୍କା । ୨୦୧୮ରେ ମହାନଦୀରେ ୭ଟି ବ୍ୟାରେଜ ଓ ୨୨ଟି ଅନ୍ୟ ପ୍ରକଳ୍ପ କରିବୁ ବୋଲି ଘୋଷଣା କରିଥିଲେ, କୁଆଡେ ଗଲା ସେହି ପ୍ରତିଶ୍ରୁତି? ଆଜି ସେମାନଙ୍କର ଏହି ଜନସମ୍ପର୍କ ଅଭିଯାନ ବାସ୍ତବରେ ଜନପ୍ରତାରଣା ଅଭିଯାନ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ଗରୀବ ଲୋକମାନଙ୍କ କଲ୍ୟାଣ ଯାହା ହେଉଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି । ଓଡ଼ିଶାରେ ୨୮ଲକ୍ଷ ପକ୍କାଘର ନିର୍ମାଣ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ । ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ “ମୋ ଘର” ଯୋଜନା ସମ୍ପୂର୍ଣ୍ଣଭାବେ ବିଫଳ । ପିଇବା ପାଣି ମିଳୁଛି କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ । କୁଆଡେ ଗଲା ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ ମିଳୁଛି । ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ସଂଯୋଗ ମିଳିଛି । ଉଜ୍ଜ୍ୱଳା ଯୋଜନାରେ ମାଗଲା ଗ୍ୟାସ ମିଳିଛି । ସବୁ କେନ୍ଦ୍ର ସରକାର ଯୋଜନାରେ ହେଉଥିବାବେଳେ ବିଜୁ ଜନତା ଦଳ କେଉଁ ପ୍ରସଙ୍ଗରେ ଏବେ ଜନସମ୍ପର୍କ ଅଭିଯାନ କରିବା ପାଇଁ ବାହାରିଛି ତାହା ବୁଝିହେଉନାହିଁ ।
ଓଡ଼ିଶାରୁ ୩୦ଲକ୍ଷ ଲୋକ ଦାଦନ ଯାଉଛନ୍ତି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ଏକ ନମ୍ବର । ଓଡିଶାର ଚାଷୀ ଦେଶର ସବୁଠାରୁ ଅଧିକ ଗରିବ । ମିଶନଶକ୍ତି ଯୋଜନାରେ ଥିବା ମହିଳାଙ୍କର ହାରାହାରି ରୋଜଗାର ହେଉଛି ଦିନକୁ ମାତ୍ର ୩ଟଙ୍କା । ୨୩ବର୍ଷର ନିରବଚ୍ଛିନ୍ନ ଶାସନ କ୍ଷମତାରେ ଏହା କ’ଣ ଓଡ଼ିଶାକୁ ନବୀନ ବାବୁଙ୍କ ଉପହାର କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର ଯେଭଳି ଏକ ସରକାରର ପ୍ରୋପାଗଣ୍ଡା ମିନିଷ୍ଟ୍ରି କରି ମିଛ ପ୍ରଚାର କରୁଥିଲେ ସେମିତି ନବୀନ ବାବୁଙ୍କ ସିଏମ୍ଓ ଏବେ ମିଛ ପ୍ରଚାରରେ ଲାଗିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମରେ ଗୋଟିଏ ମାସରେ ୧୧ଟି ରାଜନୈତିକ ହତ୍ୟାକାଣ୍ଡ ହୋଇସାରିଲାଣି । ଢେଙ୍କାନାଳରେ ୫ଟି ହତ୍ୟାକାଣ୍ଡ ଘଟିସାରିଲାଣି । ସବୁ ଘଟଣାରେ ଶାସକ ଦଳର ନେତାଙ୍କ ହାତ ଅଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଇନ କାନୁନ ଠିକ୍ ଅଛି । ଏପଟେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି । କେବଳ ପ୍ରୋପାଗଣ୍ଡା ମିନିଷ୍ଟ୍ରିମାନେ ହିଁ ଏଭଳି କହିପାରନ୍ତି । ବିଜୁ ଜନତା ଦଳର ସମସ୍ତ ବିଧାୟକ ଜନବିରୋଧୀ । ମାହାଙ୍ଗାର ବିଧାୟକ ପ୍ରତାପ ଜେନା ୩ଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ବିଧାୟକ ଅରୁଣ ସାହୁଙ୍କ ନାଁରେ ପରୀ ହତ୍ୟାକାଣ୍ଡ ମାମଲାର ଅଭିଯୋଗ ଅଛି । ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ସାମ୍ନାକୁ ଆସିଥିଲା । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ନିମାପଡା ବିଧାୟକ ସମୀର ଦାସଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇସାରିଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କର ଏସ୍ସିଏଫ ସୌମ୍ୟରଞ୍ଜନ ହତ୍ୟାକାଣ୍ଡରେ ସମ୍ପୃକ୍ତି କଥା ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଳଚେର ବିଧାୟକ ବ୍ରଜ ପ୍ରଧାନ, ବିଧାୟକ ବିଜୟ ଶଙ୍କର ଦାସ, ବିଧାୟକ ଶ୍ରୀକାନ୍ତ ସାହୁ ଏମାନେ ସମସ୍ତେ ମହିଳା ନିଯ୍ୟାତନା, ମହିଳା ବିରୋଧୀ ହିଂସାରେ ଅଭିଯୁକ୍ତ । ଏବେ ଏହି ଜନବିରୋଧୀ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପଠାଉଛନ୍ତି ଜନସମ୍ପର୍କ କରିବା ପାଇଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।