ଭୁବନେଶ୍ୱର : ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଦୀର୍ଘ ୨୨ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟଅସ୍ତ୍ରଭାବେ ବ୍ୟବହାର କରୁଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି ବିଜେଡି ବୋଲି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ପୌର ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ସମୟରେ ନିର୍ବାଚନ କିମ୍ବା ଭୋଟରମାନଙ୍କୁ ପ୍ରଭାବିତ କଲା ଭଳି କୈାଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତର ରହିଛି । କିନ୍ତୁ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଏହାର ଖୋଲାଖୋଲି ଉଲଘଂନ କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଜାଗମରା ଅନ୍ତର୍ଗତ ୬୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନି ଶ୍ରୀମତୀ ରୁନୁ ଜେନା ଦିବା ଆଲୋକରେ ଟଙ୍କା ବାଂଟୁବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । ତେଣୁ ରାଜ୍ୟ ରାଜ୍ୟ ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱର ସହ ବିଚାର କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି ।
ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି, ସାମ୍ବାଦିକଙ୍କୁ ମାଣ୍ଡ, ଭୋଟ ବାକ୍ସ ପାଣିକୁ ଫିଙ୍ଗିବା ଭଳି ଜଘନ୍ୟକାଣ୍ଡ ଘଟାଇଥିଲେ ବି ଏହାକୁ ସରକାରୀ କର୍ମଚାରୀମାନେ ସାହାଯ୍ୟ କରୁଥିଲେ । ଏବେ ପୌର ନିର୍ବାଚନ ପ୍ରଚାର ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ବିଜୁ ଜନତା ଦଳର ମନ୍ତ୍ରୀମାନେ କଳ, ବଳ ନିଜ ଆୟତରେ ଦୁର୍ନତି କରିବାରେ ଲାଗିଛନ୍ତି । ଯାହା ସ୍ୱଚ୍ଛ ଦିବାଲୋକରେ ପରିଦୃଷ୍ଟ ହେଉଛି । ବିଜେଡି ପ୍ରାର୍ଥୀ ରୁନୁ ଜେନା ଦିନ ଦ୍ୱିପହରେ ଟଙ୍କା ବାଂଟିବା ଫଟୋ ଭାରତୀୟ ଜନତା ପାର୍ଟି ପାଖରେ ରହିଛି । ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛି ବିଜେପି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପତି, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।