ଭୁବନେଶ୍ଵର: ଦୁଇ ଦିନ ପରେ କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଏକଦା ଓଡିଶାର ଭାତ ହାଣ୍ଡି ଓ ଅନାହାର ମୃତ୍ୟୁ ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା କଳାହାଣ୍ଡିରେ ପଞ୍ଚାୟତ ନିର୍ବାଚନର ବୀଜ ବୁଣିବେ ନବୀନ । ମକର ସଂକ୍ରାନ୍ତିରେ କଳାହାଣ୍ଡିର ବହୁ ପ୍ରତିକ୍ଷୀତ ଇନ୍ଦ୍ରାବତୀ ମେଗା ଉଠାଜଳ ସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ। ପ୍ରାୟ 756 କୋଟି ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକର 91 ଗ୍ରାମର 25 ହଜାର 275 ହେକ୍ଟର ଜମି ଜଳ ସେଚିତ ହୋଇପାରିବ। କଳାହାଣ୍ଡି ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ବିଜେଡ଼ି ସମସ୍ତ ବଳ ଲଗାଇଛି। ଏହି ପ୍ରକଳ୍ପକୁ ବାଦ ଦେଲେ ଆଉ ହଜାରେ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କାର ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ହେବ। ସଭାସ୍ଥଳରେ ପ୍ରାୟ ଅଢ଼େଇ ହଜାର ଲୋକଙ୍କ ସମାଗମ ନେଇ ଆୟୋଜନ ହୋଇଥିବା ବେଳେ ପଞ୍ଚାୟତରେ ଏଲଇଡ଼ି ମାଧ୍ୟମରେ ଲୋକାର୍ପଣ କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେବ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପଞ୍ଚାୟତ ଦାୟିତ୍ବରେ 70ରୁ ଅଧିକ ବିଧାୟକ ଓ ମନ୍ତ୍ରୀ ରହିଛନ୍ତି । ନିଜ ନିଜ ଦାୟିତ୍ବରେ ଥିବା ନେତା ପଞ୍ଚାୟତ ଗସ୍ତ କରି ନବୀନଙ୍କ ଲୋକାଭୀମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପ୍ରକଳ୍ପ ବାବଦରେ ଲୋକଙ୍କୁ ସଚେଚନ କରାଇବେ। କୋଭିଡ଼ ପରେ ନବୀନଙ୍କ ଏହା ପ୍ରଥମ ପବ୍ଳିକ ମିଟଂ ଥିବାରୁ କୗଣସି କ୍ଷେତ୍ରରେ ଉଣା କରିବାକୁ ନେତା ଓ କର୍ମୀ ଚାହୁନାହାନ୍ତି ।
ସେପଟେ ବିରୋଧୀ ସରକାରଙ୍କ ଏହି ମେଗା ପ୍ରକଳ୍ପ ଲୋକାପର୍ଣ ଭିତରେ ରାଜନୀତିର ଗନ୍ଧ ବାରିଛନ୍ତି। ବିଜେପି କହିଛି ଉପକୂଳ ଓଡ଼ିଶାରେ ବିଜେଡ଼ିର ଦବଦବା କମୁଥିବାରୁ ବିଜେପି ଗଡ଼ ପଶ୍ଚିମ ଓଡ଼ିଶାକୁ ଦଳ ଫୋକସ କରୁଛି। କଳହାଣ୍ଡିରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଦଳ ଯେଉ ସ୍ବପ୍ନ ଦେଖୁଛି ତାହା ବାସ୍ତବ ରୂପ ନେବ ନାହିଁ । ପୂର୍ବରୁ ଅନେକ ପକଳ୍ପ ଶିଳାନ୍ୟାସ କରି କାର୍ଯ୍ୟକ୍ଷମ ହୋଇନଥିବାରୁ ଏହା ବିଜେଡ଼ି ପାଇଁ ବୁମେରାଂ ହେବ ବୋଲି ବିଜେପି ନେତା ପ୍ରଦୀପ ପୁରୋହୀତ କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି।
ତେବେ କଳାହାଣ୍ଡି ଜିଲ୍ଲାର କେଶିଙ୍ଗାଠାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ। ସେହିପରି 7 ବର୍ଷ ହେବ ଇନ୍ଦ୍ରାବତୀ କେନାଲ କାର୍ଯ୍ୟ ବି ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ଏଭିଳି ସ୍ଥିତିରେ ଏଇ ଜଳ ସେଚନ ପ୍ରକଳ୍ପ ପଛରେ ପ୍ରକୃତରେ ଚାଷ ଓ ଚାଷୀ ପ୍ରୀତି ରହିଛି ନା ଶାସକ ଦଳ କେବଳ ଶକ୍ତି ପର୍ଦଶନ କରି ପଶ୍ଚିମ ଗଡକୁ ଜୟ କରିବା ଲାଗି ରଣନୀତି ଆରମ୍ଭ କରିଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଗତ 2019 ସାଧାରଣ ନିର୍ବାଚନରେ ଶାସକ ଦଳକୁ ପଶ୍ଚିମ ଓଡିଶାରେ ବିଜେପି ପରାଜୟର ଦ୍ବାର ଦେଖାଇଥିଲା । ଦଳ ଲୋକସଭାରେ ସମସ୍ତ 5ଟିଯାକ ଆସନ ହାତେଇଥିଲା। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଶାସକ ଦଳ ସରକାରୀ ଖର୍ଚ୍ଚରେ ଦଳୀୟ କାର୍ଯ୍ୟକ୍ରମ କରି ଭୋଟବ୍ୟାଙ୍କ ସଜାଡୁଥିବା କୁହାଯାଉଛି।