ବିଜେଡିର ଅଣଓଡ଼ିଆ ପ୍ରୀତି । ଏ କଥା ଆମେ ନୁହେଁ ବରଂ ବିଧାନସଭାରେ ମନ୍ତ୍ରୀ ଦେଉଥିବା ଉତ୍ତରରୁ ସ୍ପଷ୍ଟ ହେଉଛି । ମନେଥିବ ନିଶ୍ଚୟ, ସାଧାରଣ ନିର୍ବାଚନ ପୂର୍ବରୁ ପରିବାରକୁ ମିଳିଥିଲା ୨ଟି ଲେଖାଏଁ ଝୋଟ ବ୍ୟାଗ । ଖାଲି ବ୍ୟାଗ ମିଳିଥିଲା ତାହା ନୁହେଁ ବରଂ ହଜାରେ ଲେଖାଏଁ ବି ଟଙ୍କା ମିଳିଥିଲା । କିନ୍ତୁ ସ୍ଥାନୀୟ MSME ମାନଙ୍କୁ କାହିଁକି ଦିଆଗଲାନାହିଁ କାମ ? ତାହାକୁ ନେଇ ଉଠିଥିଲା ପ୍ରଶ୍ନ ।
ସୂଚନା ଅନୁସାରେ, ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଦିଆଯାଉଥିବା ୨ଟି ଝୋଟ ବ୍ୟାଗ ବାହାର ରାଜ୍ୟରୁ ଆସିଥିଲା । ଖାଲି ଏତିକି ନୁହେଁ ବରଂ ଆମ ଓଡିଶା ନବୀନ ଓଡିଶାର ଟି-ସାର୍ଟ ବି ଆସିଥିଲା ତାମିଲନାଡୁରୁ । ପାଖାପାଖି ୨ କୋଟି ଝୋଟ ବ୍ୟାଗ ଓ ୫ ଲକ୍ଷ ଟି-ସାର୍ଟ ମଗାଇଥିଲେ ରାଜ୍ୟ ସରକାର । ଓଡ଼ିଆ ଉଦ୍ୟୋଗୀଙ୍କୁ ଭକୁଆ ବନେଇବା ପାଇଁ ଲୋକ ଦେଖାଣିଆ ଟେଣ୍ଡର ଡାକିଥିଲେ କି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାର୍ପଣ ହେଉ ଅବା କାର୍ଯ୍ୟକ୍ରମ ଜରିଆରେ ଟି -ସାର୍ଟ, ଝୋଟ ବ୍ୟାଗ ଓ ସ୍କୁଲ ଡ୍ରେସ ଆଦି ଯୋଗାଣ କରିବାର ଦାୟିତ୍ୱ ବାହାର ରାଜ୍ୟର କମ୍ପାନୀକୁ ମିଳୁଥିଲା ଅଥଚ ରାଜ୍ୟରେ ଅନେକ ଛୋଟ MSME ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଅଛନ୍ତି, ହେଲେ ସେମାନଙ୍କୁ କାହିଁକି ଏ କାର୍ଯ୍ୟାଦେଶ ଦିଆଯାଇନଥିଲା ତାହା ଏବେ ବି ପ୍ରଶ୍ନ ଘେରରେ ।
କଥା ହେଲା, କେବଳ ମିଛ ଶିଳ୍ପାୟନର ସୁନେଲୀ ସ୍ଵପ୍ନ ଦେଖାଇ ଓଡିଆଙ୍କୁ ବୋକା ବନାଇଥିଲା ବିଜେଡି ସରକାର । କେବଳ ଝୋଟ ବ୍ୟାଗ କି ଟି-ସାର୍ଟ ନୁହେଁ ବରଂ ବିଭିନ୍ନ ପ୍ରକଳ୍ପର କାମ ବି ଅଣଓଡ଼ିଆଙ୍କୁ ଟେକି ଦେଇଥିଲେ ପୂର୍ବ ସରକାର । ଏଇ ଯେମିତି ସମଲେଇ ପ୍ରକଳ୍ପରେ ବି ଅଣ ଓଡିଆ ଠିକାଦାରଙ୍କୁ ପ୍ରାଧାନ୍ୟ ଦେଇଥିଲେ ରାଜ୍ୟ ସରକାର । ୨୦୦ କୋଟି ଟଙ୍କାର ସମଲେଇ ପ୍ରକଳ୍ପରୁ ୧୪୦ କୋଟି ଟଙ୍କାର କାମ କରିଥିଲା ତାମିଲନାଡୁର ୟୁଆରଏସ୍ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲାମିଟେଡ୍ । ତାମିଲନାଡୁର ଏହି କମ୍ପାନୀ ସମଲେଇ ପ୍ରକଳ୍ପ ପାଇଁ ତାର ସୋସିଆଲ୍ ମିଡିଆ ପେଜରେ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତାରେ ପୋତି ପକାଇଥିଲା । ସେ ଯାହା ହି ହେଉ, ଝୋଟ ବ୍ୟାଗରେ ବି ଯେମିତି ପାଣି ପରି ଟଙ୍କା ଖର୍ଚ୍ଚ କରି ବିଜେଡି ତାହାର ଏବେ ଗୁମର ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ ।