ଭୁବନେଶ୍ୱର: ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୪ କୋଟି ୧୯ ଲକ୍ଷ ଲୋକ ସଂଖ୍ୟା । ପାଖାପାଖି ୫୦ ପ୍ରତିଶତ ମହିଳା ଓଡ଼ିଶାରେ ଅଛନ୍ତି । ତେବେ ଅର୍ଥ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ମହିଳାଙ୍କ ବିରୋଧରେ ବର୍ଦ୍ଧିତ ଅପରାଧ ଭଳି ୪ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ।
ବିଶେଷକରି ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା କ୍ଷେତ୍ରରେ ମହିଳାଙ୍କୁ ସଶକ୍ତିକରଣ କରିବାର ଲକ୍ଷ ରାଜ୍ୟ ସରକାର ରଖିଛନ୍ତି । ୨୦୧୭-୧୮ରେ ଯଥାକ୍ରମେ ବଜେଟ ଥିଲା ୨,୧୦୮ କୋଟି । କିନ୍ତୁ ଚଳିତବର୍ଷ ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ବଜେଟରେ ୧୩୪୦ କୋଟି ବଢାଇ ୩,୪,୪୮ କୋଟି କରିଛନ୍ତି ।
ତେବେ ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ସରକାର ମହିଳା ଶସକ୍ତିକରଣ ହେଡରେ ୫୫୦ କୋଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଆର୍ଥିକ ସହାୟତା ହେଡରେ ୫୦୦ କୋଟି ଟଙ୍କା ରାଜ୍ୟ ସରକାର ରଖିଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମହିଳାମାନଙ୍କ ଭୋଟ ପାଇଁ କରାଯାଇଛି କି ଏବଂ ଏହା ଭୋଟ ବ୍ୟାଙ୍କ ପଲିଟିକ୍ସ କି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା ।
ସରକାର ଲଘୁ ଉଦ୍ୟୋଗର କଥା କହୁଛନ୍ତି । ତାମିଲନାଡୁର ଗୋଟିଏ ଛୋଟ ସହର ନମକ୍କଲରେ ପ୍ରତିବର୍ଷ ୯୦୦ କୋଟି ଅଣ୍ଡା ଉତ୍ପାଦନ ହେଉଛି । କିନ୍ତୁ ଓଡ଼ିଶାରେ ପ୍ରତିବର୍ଷ ୧୯୭ କୋଟି ଅଣ୍ଡା ଉତ୍ପାଦନ ହେଉଛି । ସେହିଭଳି ରାଜ୍ୟରେ ଓମଫେଡ୍ ପକ୍ଷରୁ ୨୦୧୭-୧୮ ବର୍ଷରେ ୫ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହୋଇଥିଲା । କିନ୍ତୁ ଗୁଜରାଟର ଏକ ଜିଲ୍ଲା ହେଉଛି ବନସକଣ୍ଠା ଯେଉଁଠି ୬୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଛି । ଏବଂ ଏହାକୁ ସରକାରଙ୍କ ପକ୍ଷରୁ ପ୍ରତି ୧୫ ଦିନରେ ଥରେ ଯାଞ୍ଚ କରାଯାଉଛି । ଲଘୁ ଉଦ୍ୟୋଗ ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସ୍ଥାୟୀ ସମାଧାନ ଦରକାର । କିନ୍ତୁ ୩ ବର୍ଷ ପରେ ୧ହଜାର ଟଙ୍କା ସହାୟତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
ଯେଉଁ ଯୋଜନା ତିଆରି କରାଯାଉଛି ତାହା ଗାଁରେ ଲୋକମାନଙ୍କୁ ନେଇ କରାଯାଉ । ଦୁଇ ଦିନରେ ଗୋଟିଏ ଯୋଜନା ତିଆରି ନକରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୬-୧୭ରେ ଏସଏଚ୍ଜି ସଂଖ୍ୟା ୪ ଲକ୍ଷ ୩୧ ହଜାର । କିନ୍ତୁ ୨୦୧୩ରେ ଏହାର ସଂଖ୍ୟା ଥିଲା ୫ ଲକ୍ଷ ୨୩ ହଜାର । ସେଥିମଧ୍ୟରୁ ୭୨ ଜହାର ଏସଏଚ୍ଜିକୁ ବ୍ୟାଙ୍କ ଋଣ ଦେଉଛି । ଅନ୍ୟପଟେ ଏସଏଚ୍ଜିକୁ ସଞ୍ଚୟ ପାଇଁ ୬୨୭ କୋଟି ଟଙ୍କା ଦିଆଯାଇଛି । ଏହାକୁ ପ୍ରତି ଏସଏସଜିକୁ ନେଇ ଭାଗ କଲେ ୧୪,୫୪୧ ଟଙ୍କା ପଡ଼ୁଛି । କିନ୍ତୁ ପଶ୍ଚିମବଙ୍ଗରେ ପ୍ରତି ଏସଏଚ୍ଜିକୁ ୨୦,୬୬୨ ଟଙ୍କା ଏବଂ ଆନ୍ଧ୍ରପ୍ରଦେଶରେ ୬୨, ୩୪୩ ଟଙ୍କା ପ୍ରଦାନ କରାଯାଉଥିବା ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ।

ପରିମାଣ ନୁହେଁ ପରିଣାମ ଉପରେ ଧ୍ୟାନ ଦିଅନ୍ତୁ ସରକାର । ତାମିଲନାଡୁରୁ ଆମ୍ମା କ୍ୟାଣ୍ଟିନ୍ରୁ ଯଦି ଆହାର ଯୋଜନା ଶିଖାଯାଇ ପାରିଲା ତେବେ ନମକ୍କଲରୁ ଅଣ୍ଡା ପ୍ରସ୍ତୁତ କଣ ପାଇଁ ଶିଖିପାରୁନୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏବେ ରାଜ୍ୟରେ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟ ୫୬ ପ୍ରତିଶତରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଗୁଁ ବଢିଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ ଏହା ଯଥେଷ୍ଟ କମ ବୋଲି ସେ କହିଛନ୍ତି ।
ସ୍ୱଚ୍ଛତା ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । ସେ କହିଛନ୍ତି ମହିଳାଙ୍କ ମର୍ଯ୍ୟାଦା ପାଇଁ ମଧ୍ୟ ସରାକର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଆଇଏଚ୍ଏଚ୍ଏଲର ରାଙ୍କ ଅନୁସାରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟରେ ରହିଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟପଟେ ଖୋଲାରା ଶୌଚ ଯିବା ମାମଲାରେ ଓଡ଼ିଶା ଆଗୁଆ ରିହିଛି । ଏହାସହ ୧୯୯୧ରେ ଯେଉଁସବୁ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ଥିଲା ଏବେ ସେଠାରେ ଝିଅଙ୍କ ସଂଖ୍ୟ ଦ୍ରୁତ ଗତିରେ ହ୍ରାସ ପାଉଥିବା ନେଇ ପାଓ୍ୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଟ୍ରିପଲ ତଲାକ୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
କ୍ରାଇମ ଇଣ୍ଡିଆ ରିପୋର୍ଟ-୨୦୧୬ ଅନୁସାରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାର ରାଙ୍କ ୩ । ୧୯୮୪ ଦୁଷ୍କର୍ମ ପୀଡ଼ିତାଙ୍କ ମଧ୍ୟରୁ ୬୩ ପ୍ରତିଶତ ହେଉଛନ୍ତି ନାବାଳିକା । ଏହାସହ ଦୁଷ୍କର୍ମ ଜନିତ ମାମଲାରେ ଓଡ଼ିଶାର ୫ମରେ ଥିବା ତଥ୍ୟ ଦେଇଛନ୍ତି ଅପରାଜିତା । ୩୦ ଜିଲ୍ଲାରେ ୩୪ଟି ଏସ୍ପି ପୋଷ୍ଟ ଥିବା ବେଳେ ରାଜ୍ୟରେ କେବଳ ଦୁଇଟି ଜିଲ୍ଲାରେ ମହିଳା ଏସପି ଅଛନ୍ତି । ରାଜ୍ୟ ସରକାର ମହିଳା ସଶକ୍ତିକରଣର କଥା କହିଛନ୍ତି କିନ୍ତୁ ଏଭଳି ରିପୋର୍ଟ ଅତ୍ୟନ୍ତ ଦୁଃଖଦାୟକ । ଭାଜପା ବିତର୍କ କରିବା ପାଇ ପ୍ରସ୍ତୁତ ଅଛି । ରାଜ୍ୟ ସରକାର କେବଳ ବିତର୍କ କଲେ ହେବନି ତଥ୍ୟ ଭିତ୍ତିକ କଥା କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ।
ବେରୋଜଗାରୀ ବଢୁଥିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଅପରାଜିତା । ବାଲିଅନ୍ତାରେ ବିଜୁ ଯୁବ ବାହିନୀ ଛାଡ଼ି ବିଜେପିରେ ଯୋଗଦେଇଥିବା ୨୬୦ ଯୁବକଙ୍କ ଉଦାହରଣ ଦେଇ ସେ କହିଛନ୍ତି ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ଟଙ୍କା କିଛି ଯୁବକ ନେଉଛନ୍ତି ଅନ୍ୟମାନେ ପାଇପାରୁନାହାନ୍ତି । ଶେଷରେ ସମସ୍ତ ଯୋଜନା ପଲ୍ଲୀସଭା ଏବଂ ଗ୍ରାମସଭାରେ ଲୋକମାନଙ୍କ ମତାମତ ନେଇ କରାଯାଉ । ଏହାସହ ସରକାର ଯଦି କାଳିଆ ଯୋଜନା କରୁଛନ୍ତି ଚାଷୀଙ୍କୁ ପଚାରିବାର ଆବଶ୍ୟକତା ଥିବା କଥା ମଧ୍ୟ କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
