ଓଡ଼ିଶାରେ ସବୁଠାରୁ ବଡ ବର୍ଗ ହେଉଛନ୍ତି କୃଷକ । ରାଜ୍ୟରେ ଅନ୍ନଦାତା କୃଷକ ଆଜି ସବୁଠାରୁ ଅଧିକ ଅବହେଳିତ । କୃଷକଙ୍କୁ ସବୁବେଳେ ପ୍ରତାରଣା କରି ଆସୁଛନ୍ତି ରାଜ୍ୟ ସରକାର । ଚାଷୀକୁ ରାଜ୍ୟ ସରକାର ପ୍ରମାଣିକ ବିହନ ଏବଂ ଉନ୍ନତମାନର ବିହନ ଦେବାକୁ ଅକ୍ଷମ । ରାଜ୍ୟ ସାରା ବ୍ୟାପକ ନିମ୍ନମାନର ବା ନକଲି ବିହନ ମିଳୁଛି । ରାଜ୍ୟରେ ଆଳୁ ମିଶନ୍, ପିଆଜ ମିଶନ୍ ସରକାରଙ୍କ ଅବହେଳା ଯୋଗୁଁ ଫେଲ୍ ମାରିଛି । ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀକୁ ସହାୟତା ନଦେଇ ହତାସ କରୁଛନ୍ତି ରାଜ୍ୟ ସରକାର । ୨୦୧୮ରୁ ଇନପୁଟ୍ ସବ୍ସିଡି ଠିକ୍ ଭାବେ ମିଳୁନାହିଁ । ଆସେସମେଣ୍ଟ କରିବାରେ ମଧ୍ୟ ରାଜ୍ୟ ସରକାର ବିଫଳ । ସାଟେଲାଇଟ୍ ଇମେଜିଙ୍ଗ୍ ଓ ଜିଓ ସ୍ପାଟିଆଲ ଆନାଲିସିସ୍ କରି ସଠିକ୍ କ୍ଷୟକ୍ଷତି ଆକଳନ କରାଯାଉ ନାହିଁ ।
ଇନପୁଟ୍ ସବ୍ସିଡି ହେକ୍ଟର ପିଛା ମାତ୍ର ୬୮୦୦ଟଙ୍କା । ରିଲିଫ୍ କୋର୍ଡରେ ବ୍ୟାପକ ସଂଶୋଧନ କରିବା ପାଇଁ ଚାଷୀ ସମାଜର ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା ଧାର୍ଯ୍ୟ କରିଥିଲେ ମଧ୍ୟ ଚାଷୀ ଆଜି ତାରିଖରେ ମଣ୍ଡିର ଅନିୟମିତତା ଯୋଗୁଁ ୧୨୫୦ଟଙ୍କାରେ ବାହାରେ ବିକିବାକୁ ବାଧ୍ୟ ହେଉଛି ।
ଗତ ୨ ବର୍ଷ ଧରି ସେଣ୍ଟ୍ରାଲ୍ ଟୋକନ୍ ନାଁରେ ମିଲରମାନଙ୍କ ହାତରେ ମଣ୍ଡି ବ୍ୟବସ୍ଥାକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ମିଲର ମର୍ଜିରେ ଧାନ ଉଠୁଛି । ରାଜ୍ୟ ସରକାର ଓ ମିଲରଙ୍କ ସଲାସୁତୁରାରେ ମଣ୍ଡିରେ ବ୍ୟାକ କଟ୍ନୀ ଛଟ୍ନୀ ହେଉଛି । ମଣ୍ଡି ଖୋଲିବା ବିଳମ୍ବ କାରଣରୁ ଚାଷୀ ଧାନକୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଛି । ମୁଖ୍ୟମନ୍ତ୍ରୀ ୨୦୧୬ରେ ସୋହେଲା ଠାରେ ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କା ଦେବାକୁ ଘୋଷଣା କରି ୮ବର୍ଷ ହେଲା ଠକୁଛନ୍ତି ।
ଚାଷୀ ପଞ୍ଜିକରଣକୁ ନେଇ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ଚଂଚକତା ଓ ଭ୍ରଷ୍ଟାଚାର କରୁଛନ୍ତି । ବ୍ୟାପକ ସାର କଳାବଜାରୀ ହେଉଛି ଏବଂ ରାଜ୍ୟ ସରକାରଙ୍କ ଆଖି ଆଗରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ନକଲି କୀଟନାଶକ ରାଜ୍ୟ ସାରା ବ୍ୟାପକ ଭାବେ ମିଳୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତି ନାହିଁ ।
ସମବାୟ ଋଣ ଚାଷୀକୁ ମିଳୁନାହିଁ । କାଗଜ ପତ୍ରରେ ନୂଆ ପୁରୁଣା କରି ସମବାୟ ବିଭାଗ ଚଂଚକତା କରୁଛି । ଚାଷୀ ବାଧ୍ୟ ହୋଇ ମହାଜନ ବା ଗାଁରେ ଫଣ୍ଡ୍ କରିଥିବା ମହିଳା ଗୋଷ୍ଠୀ ମାନଙ୍କ ଠାରୁ ଚଢ଼ା ଦରରେ ଋଣ ନେଉଛି ଏବଂ କ୍ଷତି ହେଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ।
ପିଏମ୍ କିଷାନ୍ର ସଠିକ୍ ତାଲିକା କେନ୍ଦ୍ରକୁ ଏଯାଏଁ ରାଜ୍ୟ ସରକାର ଦେଲେ ନାହିଁ । ୨୦୧୮ରେ ଘୋଷଣା କରିଥିବା କାଳିଆ ଯୋଜନାରେ ବାର୍ଷିକ ୧୦ହଜାର ଟଙ୍କା ପରିବର୍ତେ ମାତ୍ର ୪ହଜାର ଦେଇ ଠକୁଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ଫସଲବୀମାକୁ ନେଇ ରାଜନୀତି କରୁଛନ୍ତି ସରକାର । ନିଜେ ଏକ ଘରୋଇ ବୀମା କମ୍ପାନୀକୁ ଚୟନ କଲେ । ଏବେ କେନ୍ଦ୍ର ଉପରେ ମିଛ ଦୋଷ ଲଦୁଛନ୍ତି ।
ଆମର ଦାବୀ
- ଫସଲବୀମାରେ ଚଂଚକତା ବନ୍ଦ କରନ୍ତୁ, ଚାଷୀର ଜମିକୁ ଜଳ ଏବଂ ଅମଳ ପରେ ଶୀତଳଭଣ୍ଡାର ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର ।
- ଠିକ୍ ସମୟରେ ଧାନମଣ୍ଡି ଖୋଲିବା ସହ କେନ୍ଦ୍ର ଦେଉଥିବା କ୍ୱିଂଟାଲ ପ୍ରତି ୨୦୪୦ଟଙ୍କା ଚାଷୀଙ୍କୁ ଦିଅନ୍ତୁ ରାଜ୍ୟ ସରକାର ।
- ଧାନ କିଣାରେ କଟନି ଛଟନି ବନ୍ଦ ହେଉ । ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା ୧୦୦ଟଙ୍କାର ବୋନସ ତୁରନ୍ତ ଚଳିତ ଋତୁରେ ଚାଷୀଙ୍କୁ ଦିଅନ୍ତୁ ।
- ଚାଷୀଙ୍କୁ ସମବାୟ ଋଣ ଓ ନିୟମିତ ଉନ୍ନତମାନର ବିହନ ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର
- ସାର ଓ କୀଟନାଶକର କଳାବଜାରୀ ବନ୍ଦ ହେଉ ।
- ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ସମସ୍ତ କୃଷକଙ୍କ ତାଲିକା କେନ୍ଦ୍ରକୁ ପଠାନ୍ତୁ ରାଜ୍ୟ ସରକାର ।
- ୨୦୧୮ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କାଳିଆ ଯୋଜନାରେ ବାର୍ଷିକ ୧୦ହଜାର ଟଙ୍କା ଚାଷୀଙ୍କୁ ଦିଅନ୍ତୁ ।