୨୦ ବର୍ଷ ଶାସନ ପରେ ବି ରାଜ୍ୟସରକାର କୌଣସି କଥାକୁ ଗୁରୁତ୍ୱ ଦେଲେ ନାହିଁ । ନା ଗାଁକୁ କାମ ମିଳିଲା ନା ମାଁ କୁ ସମ୍ମାନ ମିଳିଛି । ନାରୀ ନିର୍ଯ୍ୟାତନା ଘଟଣା ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡିତ କରୁଛି । କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗରିବ ଅସହାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁଥିଲେ ହେଁ ସରପଂଚ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଶାରିରୀକ ସଂପର୍କ ରଖିବା ପାଇଁ ଚାପ ପକାଉଛନ୍ତି । ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ସମାନ ଢଙ୍ଗରେ ଘର କରାଇବା ନାଁରେ ପଂଚାୟତ ଅଫିସରେ ଏକ ମହିଳାଙ୍କୁ ବିଜେଡି ନେତାମାନେ ହିତାଧିକାରୀଙ୍କ ଠାରୁ ଦୁଷ୍କର୍ମ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ଲାଗି ବିଜେଡି ନେତାମାନେ ଚଂଚକତା କରି ହିତାଧିକାରୀଙ୍କ ଠାରୁ ହଜାର ହଜାର ଟଙ୍କା ହଡପ କରୁଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଭୁଶୁଡି ଗଲାଣି । ଏବେ ବି ଅନେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ରାଜ୍ୟସରକାର ପାଖାପାଖି ୯୦୦୦ ସ୍କୁଲକୁ ବନ୍ଦ କରିସାରିଲେଣି । ଏହି ସବୁ ବିଷୟକୁ ବିଧାନସଭାରେ ଆଲୋଚନା କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି ।
ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହୁଛି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ହେଉଛି । ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜର ଉତ୍ପାଦିତ ଅମଳ ବିକ୍ରି କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି । ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି । ସୀମାବର୍ତୀ ଗ୍ରାମ ଗୁଡିକରେ ଓଡିଶା ସରକାର ବିକାଶମୂଳକ କାର୍ଯ୍ୟ ପହଁଚାଇବା ପାଇଁ ବିଫଳ ହୋଇଛନ୍ତି । କୋଭିଡ ପରିଚାଳନା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟକୁ ଯୋଗାଇ
ଦେଇଥିବାବେଳେ ରାଜ୍ୟସରକାର ଏହାକୁ ସଠିକ ଢଙ୍ଗରେ ଖର୍ଚ୍ଚ କରିପାରିନାହାଁନ୍ତି । ଅନ୍ୟପଟେ କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ବଂଟନ କରାଯାଇଛି ।
ସେହିପରି DMF ଏବଂ OMBADC ଫଣ୍ଡର ୧୫ ହଜାର କୋଟି ଏବଂ କାମ୍ପା ଫଣ୍ଡରେ କୋଟି କୋଟି ଟଙ୍କା ଅର୍ଥକୁ ହରିଲୁଟ୍ କରାଯାଇଛି । ରାଜ୍ୟରେ ଅନେକ ଶିଳ୍ପ କାରଖାନା ଯୋଗୁଁ ପ୍ରଦୃଷଣ ବୃଦ୍ଧି ହେଉଛି । ଏହାକୁ ରାଜ୍ୟସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏହିପରି ଅନେକ ପ୍ରସଙ୍ଗକୁ ବିଜେପି ବିଧାୟକ ଦଳ ଗୃହରେ ଉପସ୍ଥାପନା କରିବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଏବଂ ଭକ୍ତଙ୍କ ଆବେଗକୁ ହୃଦୟଙ୍ଗମ କରି ମନ୍ଦିର ଖୋଲିବା ନେଇ ତୁରନ୍ତ ନିଷ୍ପତି ନେବା ଆଦି ପ୍ରସଙ୍ଗକୁ ଗୃହରେ ଉଠାଯିବ ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ବିଧାୟକ ଦଳ ବୈଠଳରେ ରାଜ୍ୟସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟମ ମିଶ୍ର, ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।