ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସବିଶେଷ ସତ୍ୟାସତ୍ୟ ଜାଣିବା ପାଇଁ ଡ.ବିଶ୍ୱାଳଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁକୁ ଗତ ଡିସେମ୍ବର ୩୧ ତାରିଖରେ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ରାଜ୍ୟ ସଂପାଦିକା ରଶ୍ମୀରେଖା ଦାସ ଏବଂ ବ୍ଲକ ଅଧ୍ୟକ୍ଷା ସରୋଜିନୀ ଦାସ ସାମିଲ ଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ବିଶ୍ୱାଳ କହିଛନ୍ତି ଯେ, ଏହି ଦୁଷ୍କର୍ମ ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଗତ ଡିସେମ୍ବର ମାସ ୨୪ ତାରିଖରେ ବନ୍ଧୁକ ମୁନରେ ଭୟଭୀତ କରାଯାଇ ମହିଳାଙ୍କ ସହ ଯେଉଁ ଭଳି ଭାବେ ଗଣଦୁଷ୍କର୍ମ କରାଯାଇଛି, ତାହା ଅବର୍ଣ୍ଣନୀୟ ଏବଂ ଅତ୍ୟନ୍ତ ଲଜ୍ଜାଜନକ । ମହିଳାଙ୍କ ପରିବାର ତରଫରୁ ରୁଜୁ ହୋଇଥିବା ମାମଲା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଲାଲ୍ ବାହାଦୁର ଦର୍ଜୀ ଏବଂ ମୀନ ବାରିକଙ୍କୁ ଶାସକ ଦଳର ସୁରକ୍ଷା କାରଣରୁ ବର୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ ଏବଂ ସେମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ଏଭଳି ଅମାନବୀୟ ଘଟଣା ଘଟିବାର ୧୧ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି ରହିବା ଅତ୍ୟନ୍ତ ଚିନ୍ତାଜନକ ପ୍ରସଙ୍ଗ ବୋଲି ଡ.ବିଶ୍ୱାଳ କହିଛନ୍ତି ।
ଜୟପୁର ବ୍ରାହ୍ମଣୀ ଗାଁ ମହିଳା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ନୀତିର ମିଛ ବାହାସ୍ପୋଟ ଆଜି ପୁଣି ପଦାରେ ପଡିଛି । ବିଜେଡି ଶାସନରେ, ମହିଳା ଓ ଶିଶୁ ବିପଦରେ । ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣା ଘଟୁଛି । ରାଜ୍ୟରେ ମହିଳା ହିଂସା ଓ ଦୁଷ୍କର୍ମ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ୨୦୧୯-୨୦୨୦ ବର୍ଷରେ ମହିଳା ହିଂସା ୯.୯୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ୨୦୨୦ ମସିହା ସୁଦ୍ଧା ପାଖାପାଖି ୧ ଲକ୍ଷ ୩୫ ହଜାର ମହିଳା ହିଂସା ଓ ନିର୍ଯ୍ୟାତନା ମାମଲା ବିଚାରଧିନ ସ୍ଥିତିରେ ଅଛି ବୋଲି ତଥ୍ୟ ପ୍ରକାଶ ପାଇଛି । ବିଭିନ୍ନ ଅପରାଧିକ ମାମଲରେ ସଂପୃକ୍ତ ଥିବା ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ପ୍ରଦାନ କରୁଛନ୍ତି । ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ୍’କୁ ବନ୍ଦ ନକରିବା ଯାଏଁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ବୋଲି ଡ.ବିଶ୍ୱାଳ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଜୟପୁର ବ୍ରାହ୍ମଣୀ ଗାଁ ପ୍ରସଙ୍ଗକୁ ନେଇ ବିଜେପି ଜୟପୁରରେ ରାଜରାସ୍ତାକୁ ଓହ୍ଲାଇଛି । ଅପରାଧୀମାନେ ତୁରନ୍ତ ଗିରଫ କରାଯିବା ସହିତ ଜୟପୁର ପୀଡିତାକୁ ତୁରନ୍ତ ନ୍ୟାୟ ମିଳୁ । ନଚେତ୍ ଆଗାମୀ ଦିନରେ ଏହି ଲଢେଇକୁ ରାଜ୍ୟବ୍ୟାପୀ ଆହୁରି ଶାଣିତ କରାଯିବ ବୋଲି ଡ.ବିଶ୍ୱାଳ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ୍ ଉପସ୍ଥିତ ଥିଲେ ।