ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଲୋଏର ପିଏମ୍ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ସରପଂଚ ଓ ସମିତିସଭ୍ୟମାନଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ହୃଦୟଙ୍ଗମ କରି ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ ।
ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସମ୍ମାନଜନକ ଭତାରେ ବୃଦ୍ଧି, ପଂଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅର୍ଥ ବିନିଯୋଗରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପ୍ରତ୍ୟକ୍ଷ ଭୂମିକାକୁ ବାଧ୍ୟତାମୂଳକ କରିବା, ପଂଚାୟତରାଜ ବ୍ୟବସ୍ଥାରେ ୭୩ତମ ଅଧିନିୟମ ଅନୁସାରେ ଦିଆଯାଇଥିବା ସମସ୍ତ କ୍ଷମତା ପଂଚାୟତକୁ ହସ୍ତାନ୍ତର କରିବା, ଗ୍ରାମସଭା ଓ ପଲ୍ଲିସଭାକୁ ଗୁରୁତ୍ୱ ଦେବା, ସରପଂଚ ଓ ସମିତିସଭ୍ୟମାନଙ୍କୁ ପଂଚାୟତରେ ଜନକଲ୍ୟାଣମୂଳକ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଯୋଗାଇ ଦେବା, ପ୍ରତି ପଂଚାୟତରେ କାର୍ଯ୍ୟନିର୍ବାହି ଅଧିକାରୀ ଓ ଜିଆରଏସ୍ ନିଯୁକ୍ତି କରିବା ଆଦି ସମସ୍ତ ପ୍ରସଙ୍ଗକୁ ଭାରତୀୟ ଜନତା ପାର୍ଟି ବିଧାନସଭାରେ ସରକାରଙ୍କ ପାଖରେ ଉପସ୍ଥାପନ କରିବ ଓ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଏହି ଦାବିକୁ ସାମିଲ କରାଯିବ ।
ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ନବଚରଣ ମାଝୀ, କୁସୁମ ଟେଟେ, ସୂର୍ଯ୍ୟବଂଶୀ ସୁରଜ, ନାଉରୀ ନାୟକ, ସନାତନ ବିଜୁଳୀ, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ଖୁଂଟିଆ, ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।