ଅନ୍ଲାଇନ ବ୍ୟବସ୍ଥାରେ ଧାନ ବିକ୍ରିର ୨୪ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ବ୍ୟବସ୍ଥା ଥିବାବେଳେ ଅଦ୍ୟାବଧି ଏକମାସ ବ୍ୟବଧାନ ପରେ ମଧ୍ୟ ଚାଷୀଙ୍କ ଆକାଂଉଟ୍କୁ ତାଙ୍କର ପ୍ରାପ୍ୟ ପହଁଚି ପାରିଲାନାହିଁ । ଯଦ୍ୱାରା ଚାଷୀ ଘୋର ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଛି । ଏହାଦ୍ୱାରା ସନ୍ଦେହ ପ୍ରକାଶ ପାଉଛି କି, ଯୋଗାଣ ବିଭାଗ ଯେଉଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଟଙ୍କା ନେଣଦେଣ କରୁଛି ସତେ ଯେପରି ଏହି ଟଙ୍କାକୁ ସମବାୟ ବ୍ୟାଙ୍କ ମନିଲଣ୍ଡ୍ରିଂରେ ଲଗାଇଦେଇଥିବା ପରି ସନ୍ଦେହ ମନେ ହେଉଛି । ସ୍ଥାନୀୟ ସ୍ତରରେ ମଣ୍ଡି ଅଧିକାରୀ ଏବଂ ଜିଲ୍ଲା ସ୍ତରରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ଟଙ୍କା ନାହିଁ ଟଙ୍କା ଆସିଲେ ଦିଆଯିବ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଚାଷୀମାନଙ୍କ ପାଇଁ କଷ୍ଟଦାୟକ ହୋଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି । ଆଜି ଏହି ମର୍ମରେ ବିଜେପି କୃଷକ ମୋର୍ଚ୍ଚାର ଏକ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲେ କିନ୍ତୁ ପରିତାପର ବିଷୟ ଏହିକି ଯେ ଚାଷୀ ତାର ଧାନ ବିକ୍ରି ପ୍ରାପ୍ୟ ପାଇପାରୁନଥିବା ବେଳେ ବିଭାଗର ଏମ୍ଡି ଦୀର୍ଘ ଦିନ ଧରି କେଉଁଆଡେ ଯାଇଛନ୍ତି ତାହା ତାଙ୍କ ଅଧିକାରୀ ମାନେ ବି କହିପାରିଲେନାହିଁ । ଶେଷରେ ବାଧ୍ୟ ହୋଇ ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧି ମଣ୍ଡଳୀ ଏମ୍ଡିଙ୍କ କାର୍ଯ୍ୟାଳୟ କବାଟ ଏବଂ ମୁଖ୍ୟ ଫାଟକରେ ଲଟ୍କା ଜାରି କରି ଏମ୍ଡି ନିଖୋଜ ଥିବାର ଫଟୋ ମଧ୍ୟ ଲଗାଇଲେ । ଯଦି ଆଗାମୀ ୪୮ଘଣ୍ଟା ଭିତରେ ଓଡିଶାର ହଜାର ହଜାର ଚାଷୀଙ୍କର ବକେୟା ଥିବା ଧାନ ବିକ୍ରି ପ୍ରାପ୍ୟକୁ ପ୍ରଦାନ କରାନଯାଏ ତେବେ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଦଳ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା ଓ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମି ରଞ୍ଜନ କାନୁନଗୋ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁଙ୍କ ସମେତ ସଂଯୋଜକ ହିତେଶ୍ ମହାପାତ୍ର, ବିକ୍ରମ କେଶରୀ ରାଉତରାୟ ଓ ପ୍ରିୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।