ରାଜ୍ୟର ହାଇପ୍ରୋଫାଇଲ ମାମଲାଗୁଡ଼ିକରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଆସିବା ପରେ ପୋଲିସ ଚୁପ୍ ରହୁଛି ଅଥଚ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସ୍ବର ଉଠାଇଲେ ପୋଲିସ ପ୍ରାରତିହିଂସା ପରାୟଣ ହେଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଜୟ ନାରାୟଣଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛି।
ଗତ ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟରେ ବିଭିନ୍ନ ଅପରାଧର ଯେଉଁ ପରିସଂଖ୍ୟନ ଦେଇଥିଲେ ସେଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଗତ 5 ବର୍ଷରେ ଲଗାତାର ବଢ଼ିଚାଲିଛି ଅପରାଧ। 2018 ରାଜ୍ୟରେ ମୋଟ 1 ଲକ୍ଷ 7 ହଜାର 408ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବା ବେଳେ 2022 ବେଳକୁ ଏହା ବଢି 1 ଲକ୍ଷ 78 ହଜାର 190ରେ ପହଞ୍ଚିଛି।
କିନ୍ତୁ ଶାସକ ଦଳ ଏହାକୁ ହାଲକାରେ ନେଉଛି। ବିଜେଡିର କହିବା ହେଲା ଯେହେତୁ ନିର୍ବାଚନକୁ ଆଉ ବର୍ଷେ ରହିଲା ସେଥିପାଇଁ ବିଜେପି ଉଠାଉଛି ଏ ପ୍ରସଙ୍ଗ ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ମୁଖ୍ୟ ବିରୋଧୀ ବିଜେପି ଲଗାତାର ହଲ୍ଲାବୋଲ କରୁଥିବା ବେଳେ ଯଦି ରାଜ୍ୟ ସରକାର ପୋଲିସକୁ ଦଳୀୟ ଏଜେଣ୍ଡାରେ ବ୍ୟବହାର କରିବା ବନ୍ଦ ନକରନ୍ତି ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ଦଳ।